ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ । ଜଙ୍ଗଲର ସବୁଜିମା ଭିତରେ ନଦୀର କୁଳୁ କୁଳୁ ଶବ୍ଦ । କେନ୍ଦୁଝରର ଗନାସିକାରୁ ବାହାରି ପାହାଡ ଜଙ୍ଗଲ ଡେଇଁ ଡେଇଁ ପୁଣ୍ୟତୋୟା ବୈତରଣୀ ମୟୁରଭଂଜ ଜିଲ୍ଲାର ଠାକୁରମୁଣ୍ଡା ଅଂଚଳରେ ଯେଉଁଠି ନୈସର୍ଗିକ ରୂପ ଧାରଣ କରିଛି, ତାହା ହେଉଛି ଭୀମକୁଣ୍ଡ । ପଥର ଉହାଡରୁ ବାହାରି ଭୀମକୁଣ୍ଡ ମଧ୍ୟକୁ ଲମ୍ଫ ଦେଇ ଏଇଠୁ ପୁଣି ବାଟକାଟି ଆଗକୁ ଯାଉଛି ବୈତରଣୀ । ତେବେ ଭୀମକୁଣ୍ଡ ଯେତିକି ସୁନ୍ଦର, ତା ପଛରେ ଥିବା ପୌରାଣିକ ଉପାଖ୍ୟାନ ବି ସେତିକି ସୁନ୍ଦର । କୁହାଯାଏ ପଂଚୁପାଣ୍ଡବ ଅଜ୍ଞାତ ବନବାସ ସମୟରେ ବୁଲି ବୁଲି ଏଇଠି ଆସି ପହଁଚିଥିଲେ । ଶୋଷରେ ସମସ୍ତେ ଆତୁର ଥାନ୍ତି । ମାତ୍ର ଖରାଦିନ ହୋଇଥିବାରୁ ପାଖରେ ପାଣି ନଥାଏ । ମଧ୍ୟମ ପାଣ୍ଡବ ଭୀମ ଏହିସ୍ଥାନକୁ ନିଜର ଗଦାରେ ପ୍ରହାର କରିବା ପରେ ଯେଉଁ ଗର୍ତ ସୃଷ୍ଟି ହେଲା, ତାହା ହେଉଛି ଭୀମକୁଣ୍ଡ । ପ୍ରତିବର୍ଷ ମକରସଂକ୍ରାନ୍ତିରେ ଭୀମକୁଣ୍ଡରେ ବୁଡ ପକାଇ ମହାଦେବ କୁଣ୍ଡେଶ୍ୱରଙ୍କୁ ଦର୍ଶନ କଲେ ସମସ୍ତ ପାପ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମକର ସଂକ୍ରାନ୍ତିରେ ହଜାର ହଜାର ଶ୍ରଧାଳୁଙ୍କ ଭିଡ ଜମେ । ଭୀମକୁଣ୍ଡର ମନଲୋଭା ଦୃଶ୍ୟ ସବୁ ବେଳେ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରି ଆସିଛି । ବିଶେଷ କରି ଶୀତ ଆସିଲେ ଭୀମକୁଣ୍ଡରେ ଜମେ ପର୍ଯ୍ୟଟକଙ୍କ ଭିଡ । ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେଇଥାନ୍ତି । ମାତ୍ର ପ୍ରକୃତିର ଏଭଳି ସୌନ୍ଦର୍ଯ୍ୟ ପରିପୂର୍ଣ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଯେତିକି ଗୁରୁତ୍ୱ ଦେବା କଥା, ତାହା କରୁନି । ପର୍ଯ୍ୟଟନ ସ୍ଥଳୀର କେବଳ ନାମଫଳକଟିଏ ମାରି ଦେଇ ପ୍ରଶାସନ ତାହାର ଦାୟିତ୍ୱ ଶେଷ କରିଛି । ସ୍ଥାନୀୟ ସମସ୍ୟା ସତ୍ୱେ ଗୋଟିଏ ପଟେ ପୂଣ୍ୟତୋୟା ବୈତରଣୀର ଜଳରାଶି ଲୋକଙ୍କୁ ଆକର୍ଷିତ କରୁଥିବାବେଳେ ଅନ୍ୟପଟେ ବିରାଟ ଶିଳାଖଣ୍ଡ ଧାରେ ଧାରେ ଶାନ୍ତ , ସବୁଜ , ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ ।

LEAVE A REPLY

Please enter your comment!
Please enter your name here