ପିପିଲି : ପିପିଲିରେ ଆତଙ୍କ ଖେଳାଇଥିବା ବଣୁଆ ଦନ୍ତା ହାତୀ ଏବେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ପହଞ୍ଚିଛି । ନରହନ୍ତା ଦନ୍ତା ହାତୀ ଭୁବନେଶ୍ୱର ପାତ୍ରପଡାର ଭେଷଜ ଉଦ୍ୟାନ ନିକଟରେ ଥିବା ସୂଚନା ମିଳିଛି । ଏଠାରେ ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତିକରାଯାଇଛି । ସୂଚନାଯୋଗ୍ୟ ଗତ ୩ଦିନ ହେଲା ଦନ୍ତା ହାତୀ ପିପିଲି, ଡେଲାଙ୍ଗ ଓ ନିମାପଡା ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ପ୍ରଥମଥର ପାଇଁ ପିପିଲି ଅଞ୍ଚଳରେ ବଣୁଆ ଦନ୍ତା ହାତୀ ଆସି ଆତଙ୍କ ଖେଳାଇଛି । ବଣୁଆ ଦନ୍ତା ହାତୀ ଆକ୍ରମଣରେ ପିପିଲି ଓ ନିମାପଡା ଅଞ୍ଚଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର ହୋଇ ବଣୁଆ ହାତୀ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ପଶିଆସିଥିଲା । ବନବିଭାଗର ଟିମ୍ ନରହନ୍ତା ହାତୀ ଉପରେ ତୀକ୍ଷ୍ନ ନଜର ରଖିଥିବାବେଳେ ସେ ବନବିଭାଗକୁ ଚକମା ଦେଇ ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଛି । ତେବେ ଗଙ୍ଗୁଆ ନଦୀ ପାର ହୋଇ ଭୁବନେଶ୍ୱର ଆସିଥିବା ସନ୍ଦେହ କରାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ, ବାଲିପାଟଣା ଓ ଗୋପ ବନବିଭାଗ ଟିମ ସହ ପିପିଲି ଓ ବଳଙ୍ଗା ପୁଲିସ ହାତୀକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ହାତୀକୁ ଘଉଡାଇବାରେ ବନବିଭାଗର ୭୦ କର୍ମଚାରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ କୁହାଯାଉଥିବା ଜଣାପଡିଛି । ହାତୀଟିକୁ ଚନ୍ଦକା ଆଡକୁ ଘଉଡାଇବା ପାଇଁ ଚେଷ୍ଟା କରାଯାଉଛି । ନରହନ୍ତା ହାତୀକୁ ଆଜି ଟ୍ରାଙ୍କୱାଲାଇଜ କରାଯାଇପାରେ ବୋଲି ଜଣାପଡିଛି । ତେବେ ଘାଟିକିଆରେ ଥିବା ହାତୀ ପିପିଲିରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀ କି ନାହିଁ ଏ ଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here