ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କ ପ୍ରୀୟା ପ୍ରୀତି ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଓଡିଶା ସରକାର ରାଜ୍ୟର ଲକ୍ଷଲକ୍ଷ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଭାଗ୍ୟ ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି ପିିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ । ସେ କହିଛନ୍ତି ଯେ, ରେଲୱେ ରିକୁଟମେଣ୍ଟ ବୋର୍ଡ ପରିଚାଳନା କରୁଥିବା ସହାୟକ ଲୋକ ପାଇଲଟ ପାଇଁ ମୁଖ୍ୟ ପରୀକ୍ଷାର ତାରିଖ ୨୦ ଜାନୁଆରୀ, ୨୦୧୯ ପୂର୍ବରୁ ସ୍ଥିରୀକୃତ ହୋଇଛି ଏବଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସେବା ସମ୍ପର୍କିତ ସର୍ବ ଭାରତୀୟ ସ୍ତରର ପରୀକ୍ଷା ଯାହାକୁ ଆଇ.ବି.ପି.ଏସ ପରିଚାଳନା କରୁଛି ତାହାର ପରୀକ୍ଷା ମଧ୍ୟ ସମାନ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇଟି ସର୍ବ ଭାରତୀୟ ସ୍ତରର ମୁଖ୍ୟ ପରୀକ୍ଷା ପାଇଁ ଓଡିଶାର ୧୦ ହଜାରରୁ ଉଦ୍ଧ୍ୱର୍ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ସେମାନେ ସମସ୍ତେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଦୃଢ ଆଶାବାଦୀ ଅଛନ୍ତି । ଏପରି ସ୍ଥଳେ ଓଡିଶା ଲୋକସଭା ଆୟୋଗ ପରିଚାଳନା କରୁଥିବା ପରୀକ୍ଷାକୁ ସମାନ ତାରିଖରେ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲକ୍ଷ ଲକ୍ଷ ଓଡିଆ ଛାତ୍ରଛାତ୍ରୀ ଏବଂ କଂଗ୍ରେସ ଏହି ପରୀକ୍ଷାକୁ ବାତିଲ କରିବାକୁ ଦାବି କରୁଛି । ଓଡିଶା ସରକାର ଜାଣିଶୁଣି ଏଭଳି ଦିନ ଓ ତାରିଖ ଧାର୍ଯ୍ୟ କରୁଛନ୍ତି ଯେଉଁଦିନ ଚାକିରୀ ଆଶାୟୀ ଓଡିଶାର ମେଧାବୀ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବାର ସୁଯୋଗ ପାଇବେ ନାହିଁ ଏବଂ ସରକାରୀ ଚାକିରୀକୁ ନିଜର ଦଳୀୟ କର୍ମୀଙ୍କୁ ବିକ୍ରୀ କରି ଦେବାକୁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି ଅଭିଯୋଗ କରିଛି କଂଗ୍ରେସ ।