ଜିଲ୍ଲାସ୍ତରୀୟ ରାଜନୀତିରେ ସଂସ୍କାର ପାଇଁ ଏବଂ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଓ ବାସ୍ତବତା ମଧ୍ୟରେ ଥିବା ପ୍ରାର୍ଥକ୍ୟ ଲୋକଲୋଚନକୁ ଆଣିବା ଉଦେ୍ଦଶ୍ୟରେ ବାଲେଶ୍ୱରରେ ଖୋଲାମଞ୍ଚ ଆୟୋଜନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଯୋଗଦେଇ ରାଜ୍ୟର ୧୮ ବର୍ଷର ବିଜେଡି ଶାସନର ସ୍ଥିତି ଓ ବାସ୍ତବତା ଉପରେ ଆଲୋକପାତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନଶୃଙ୍ଖଳା, ଶିଳ୍ପ, ବେକାରୀ ସମସ୍ୟା, ଦରଦାମ ନିୟନ୍ତ୍ରଣ ପ୍ରଭୃତି ଦିଗ ଉପରେ ବିଶେଷ ଦୃଷ୍ଟିପାତ ସହ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତିର ଦିଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶାର ୨୦ ବର୍ଷ ତଳ ଗୁଣାତ୍ମକ ଶିକ୍ଷାର ମାନ ସହିତ ସର୍ବଭାରତ ସ୍ତରୀୟ କୃତିତ୍ୱର ଅନୁପାତ ହ୍ରାସ ପାଇଥିବା ବେଳେ ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥା ଯୋଗୁଁ ବେକାରୀ ସମସ୍ୟା ଆଶାତୀତ ବୃଦ୍ଧି ପାଇଥିବା ଶ୍ରୀ ପଟ୍ଟନାୟକ ଆରୋପ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୮୦ ହଜାର ପଦବୀ ଖାଲି ପଡ଼ିଥିବା ବେଳେ ଓଡ଼ିଶାରେ ୬୦ ଲକ୍ଷରୁ ଊଦ୍ଧ୍ୱର୍ ଯୁବକ ଯୁବତୀ ବେକାର ହୋଇ କାଳତିପାତ କରୁଥିବା ସେ କହିଥିଲେ । ଏମିତିକ ଓଡ଼ିଶାରୁ ୩୮ ଲକ୍ଷ ଯୁବକ ଯୁବତୀ ରୋଜଗାର ପାଇଁ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟ କୃଷି ଓ କୃଷକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଉତ୍ପାଦନ ହାର ବୃଦ୍ଧିର ମିଥ୍ୟା ତଥ୍ୟ ଦେଖାଇ ସରକାର ବାହାବା ନେଉଛନ୍ତି । ଉତ୍ପାଦନ ବଢ଼ିଥିଲେ ଆମକୁ ଆଜି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ କୃଷିଜାତ ଦ୍ରବ୍ୟ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ସେହିଭଳି ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ଯୋଗୁଁ ସମ୍ପ୍ରତି ରାଜ୍ୟର ସାଧାରଣ ଜନତାଙ୍କୁ ପ୍ରତିଟି କ୍ଷେତ୍ରରେ ଶୋଷଣର ଶିକାର ହେବାକୁ ପଡ଼ୁଛି । ସେହିଭଳି ପ୍ରଶାସନିକ କ୍ଷେତ୍ରରେ ବୃଦ୍ଧି ପାଇଥିବା ଦୁର୍ନୀତିରେ ରାଜ୍ୟବାସୀ ପେଶୀ ହୋଇଯାଉଛନ୍ତି । ଲାଞ୍ଚ ଓ ଦୁର୍ନୀତିର ପାହାଡ଼ ଉପରେ ରହି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ସରକାରୀ ଯୋଜନାକୁ ବାଟବଣା କରୁଥିବା ବେଳେ ସାଧାରଣ ଲୋକଙ୍କ ରକ୍ତକୁ ଶୋଷିବାରେ ଲାଗିଛନ୍ତି । ନ୍ୟାୟ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପରିବର୍ତ୍ତେ ପୁଲିସ ଏବେ ଅଶାନ୍ତିର କାରଣ ହୋଇଛି । ପୁଲିସ ଓ ପ୍ରଶାସନିକ କଳକୁ ବ୍ୟବହାର ସହ ସରକାର ଗୋଟିଏ ପରେ ଗୋଟିଏ ଦୁର୍ନୀତି କରି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାବାସୀଙ୍କ ପାଇଁ ଏକମାତ୍ର ବିକଳ୍ପ ଭାବେ କଂଗ୍ରେସ ହିଁ ସୁଶାସନ ଦେଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଜନସାଧାରଣଙ୍କ ସୁଖଦୁଃଖର ସାଥୀ ଭାବେ କଂଗ୍ରେସ କ୍ଷମତାକୁ ଆସିଲେ ହିଁ ଓଡ଼ିଶାବାସୀ ଶାନ୍ତିରେ ରହିପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ଆୟୋଜିତ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ବିଶ୍ୱଜିତ୍ ଦାସ, ପଞ୍ଚାନନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଜିଲ୍ଳାର ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ ଓଡ଼ିଶା ପାଇଁ କଂଗ୍ରେସର ଆବଶ୍ୟକତାକୁ ପ୍ରତିପାଦିତ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏଥିରେ ଅନ୍ୟତମ ବିଶେଷ ବକ୍ତା ଭାବେ ଯୋଗଦେଇ ବିକାଶ କ୍ଷେତ୍ରରେ ସାମ୍ପ୍ରତିକ ବାଲେଶ୍ୱରର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ପିସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ ମିଡିଆ ସଂଯୋଜକ ସତ୍ୟପ୍ରକାଶ ନାୟକ ଏହି ଖୋଲାମଞ୍ଚରେ ସଂଯୋଜନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here