ଯେଉଁଠି ରାତି ପାହିଲେ ସକାଳ ହେଲେ ଭକ୍ତଙ୍କ ଗହଳି ଚହଳି ଦେଖିବାକୁ ମିଳେ । ସେହି ସ୍ଥାନ ଆଜି ଖାଁ ଖାଁ । କରୋନା ଭୟରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ପୀଠ ଏବେ ଶୂନଶାନ । ବିଶେଷ କରି ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରୁ ଏହି ପୀଠକୁ ଭକ୍ତ ମାନେ ଦର୍ଶନ ପାଇଁ ଆସିଥିବାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମକୁ ବାରଣ କରାଯାଇଛି । ମନ୍ଦିରରେ ମାନସିକଧାରୀଙ୍କ ମୁଣ୍ଡନ କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଛି ରାୟଗଡା ଜିଲ୍ଲା ପ୍ରଶାସନ । ସେହିପରି ସହରରେ ଥିବା ମସଜିଦ୍ ଓ ଚର୍ଚ୍ଚରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ରୋକ୍ ଲଗାଇଛି ପ୍ରଶାସନ । ଜିଲ୍ଲାରେ କୌଣସି ଉତ୍ସବ ପାଳିବାକୁ ବାରଣ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି । ଅନ୍ୟପଟେ ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାୟଗଡା ଜିଲ୍ଲାପାଳ ସେହିପରି ରାୟଗଡା ରେଳ ଷ୍ଟେସନରେ ମଧ୍ୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି । ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି । ରାୟଗଡା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଯାତ୍ରୀମାନଙ୍କୁ ମାସ୍କ ଓ ସାନିଟାଇଜର ଲଗାଇ ସଫାସୁତୁରା ରହିବାକୁ ସଚେତନ କରାଯାଉଛି । ପ୍ରତ୍ୟେକ ଦିନ ବସକୁ ଡେଟଲରେ ଧୂଆ ଯାଉଛି । କେବଳ ଏତିକି ନୁହେଁ ମହାମାରୀ କରୋନାକୁ ନେଇ ଗୁଜବ ସଅଷ୍ଟି ନକରିବା ସହ ନିଜେ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ଜନସାଧାରଣଙ୍କୁ ନିବେଦନ କରିଛି ।