ପିଇବା ପାଇଁ ପାଣି ଟୋପେ ମିଳୁନି । ପାଣି ବିକଳରେ କଲବଲ ହେଉଛନ୍ତି ଲୋକେ । ଗାଁରେ ନଳକୂଅଟିଏ ମଧ୍ୟ ନାହିଁ । ଯଦିବି କେଉଁଠି ନଳକୂଅଟିଏ ଅଛି, ତାର ପାଣି ବ୍ୟବହାର ଉପଯୋଗୀ ହେଉନାହିଁ । ସେଥିରୁ ପ୍ରବଳ ମାତ୍ରାରେ ଲୁଣିପାଣି ବାହାରୁଛି । ସେଇଥିପାଇଁ ନଳକୂଅ ମଧ୍ୟ କେହି ବସାଉନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୋପ ବ୍ଲକ ଅନ୍ତର୍ଗତ ତରକୋର ପଞ୍ଚାୟତରେ । ପଞ୍ଚାୟତର ଏହି ସମସ୍ୟା ଆଜିକାଲିର ନୁହେଁ, ଏହା ଦୀର୍ଘ ବର୍ଷର ସମସ୍ୟା । ଏହି ପଞ୍ଚାୟତର ଜଗନ୍ନରଥପୁର, ତରକୋର, ମଲିଆତୁଠ, କମାଳସାହି ଆଦି ଗ୍ରାମର ପ୍ରାୟ ୨୦୦୦ ହଜାର ଲୋକ ପିଇବା ପାଣି ଟୋପେ ପାଇଁ ବହୁତ କଲବଲ ହେଉଛନ୍ତି । ବାରମ୍ବାର ପ୍ରଶାସନକୁ ଅବଗତ କରାଇଲେ ମଧ୍ୟ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । ପ୍ରଶାସନ ତରଫରୁ ଦିନକୁ ୨ ଥର ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇବାକୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଆଉ ଆସୁନାହିଁ । ଯଦିବି କେବେ ଆସୁଛି ୧୫ ଦିନ ୨୦ ଦିନରେ ଥରେ ଆସୁଛି । ଯେଉଁଥିପାଇଁ ଗାଁ ପାଖରେ ବହି ଯାଉଥିବା କୁଶଭଦ୍ରା ନଦୀର ପାଣିକୁ ଭରସା କରିଛନ୍ତି ଗାଁ ଲୋକେ । ନଦୀ ପାଣି ପିଇବା ଦ୍ୱାରା ଏମାନେ ନାନାଦି ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ବର୍ଷା ଦିନେ ନଦୀ ପାଣି ଗୋଳିଆ ଆସୁଥିବାରୁ ଏହି ସମସ୍ୟା ଆହୁରି ବଢିଯାଉଛି । ବିଭିନ୍ନ ପ୍ରକାରର ମଲା ଜୀବଜନ୍ତୁ ମଧ୍ୟ ଏହି ନଦୀ ପାଣିରେ ଭାସି ଆସୁଛନ୍ତି । ପଞ୍ଚାୟତର ଏହି ସମସ୍ୟାକୁ ନେଇ ଗୋପ ବ୍ଲକ ବିଡିଓ ଦିପ୍ତିରାଣୀ ଦାସଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି । ହେଲେ ବିଡିଓ ନାଚାର । ଏହି ସମସ୍ୟା ଗ୍ରାମବାସୀଙ୍କ ଦୀର୍ଘ ଦିନର । ମାଟିତଳୁ ଭଲପାଣି ବି ବାହାରୁ ନାହିଁ । ସେଥିପାଇଁ ଲୋକଙ୍କୁ ପାଣି ଯୋଗାଇବା କଷ୍ଟସାଧ୍ୟ ହୋଇପଡିଛି । ବର୍ଷକ ବାରମାସ ଟ୍ୟାଙ୍କର ଯୋଗେ ପାଣି ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇଛି । ମାତ୍ର ଲୋକଙ୍କ ପାଖରେ ପହଞ୍ଚିପାରୁନି ପାଣି ।