ଭୁବନେଶ୍ବର : ତିନି ପାଦ ଭୂମି ମୋ ଠୁ ମାଗି ନେ, ଏତେ ପୂଣ୍ୟ ମୋର କାହିଁ ହେ ଠାକୁର, ତୁ ପାଦଟିଏ, ମୁଁ ପାଦର ଧୂଳି ..ଏମିତି ଅନେକ ଶ୍ରୀଜଗନ୍ନାଥଙ୍କ ଭଜନରେ ଗୁଞ୍ଜରିତ ହେଉଥିବା ଗୀତଗୋବିନ୍ଦ ଭବନ । ପାଞ୍ଚବର୍ଷରୁ ଆରମ୍ଭ କରି ତିରିଶ ବର୍ଷ ବୟସ ପର୍ଯ୍ୟନ୍ତ କୁନି, କିଶୋର ଓ ଯୁବ ପ୍ରତିଯୋଗୀଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନରେ ତଲ୍ଲୀନ ହୋଇଯାଇଥିଲେ ଦର୍ଶକ । ଶ୍ରୀଜଗନ୍ନାଥଙ୍କ ଭଜନ ସହ ମଞ୍ଚରେ ଶ୍ରୀଜଗନ୍ନାଥଙ୍କୁ ଚୂଳୀ ଓ ରଙ୍ଗରେ ରୂପ ଦେଉଥିଲେ ଚିତ୍ରଶିଳ୍ପୀ ସିନୁଲତା ଦାସ । ଅବସର ଥିଲା, ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତାର ଗ୍ରାଣ୍ଡ୍ ଫିନାଲେ । ଅଡିସନ ରାଉଣ୍ଡରେ ତିନୋଟି ବର୍ଗରେ ଭାଗ ନେଇଥିବା ଶହେ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ 26 ଜଣ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ମନୋନୀତ ହୋଇଥିଲେ ।
ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରିଥିଲେ । ସୌମ୍ୟାଲୀ ଶ୍ରୀଜଗନ୍ନାଥାଷ୍ଟକମ ପାଠ କରିବା ପରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । ପ୍ରତିଯୋଗୀଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ ମୂଲ୍ୟାୟନ ପାଇଁ ବିଚାରକ ଭାବେ ମଞ୍ଚରେ ବସିଥିଲେ ଓଡିଶାର ଲୋକପ୍ରିୟ ସୁନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା ମହପାତ୍ର, ଅନୁସୂୟା ନାଥ ଏବଂ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ । ବାଦ୍ୟଯନ୍ତ୍ରରେ ଅଜୟ ଚୌଧୁରୀ, ଶିବ ନାରାୟଣ ମହାନ୍ତି, ବଳରାମ ବଳ ଓ ସୌମ୍ୟରଂଜନ ଯୋଶୀଙ୍କ ସହଯୋଗ ଭଜନ ପ୍ରତିଯୋଗିତାକୁ ଆହୁରି ଅଧିକ ସୁମଧୁର କରିଦେଇଥିଲା । ଦୁଇଘଣ୍ଟାରୁ ଅଧିକ ସମୟ ଧରି ପ୍ରତିଯୋଗୀଙ୍କ କଣ୍ଠରୁ ଭାସି ଆସୁଥିଲା ଶ୍ରୀଜଗନ୍ନାଥଙ୍କ ଭଜନ, ଚନ୍ଦନ ଲେପି ଦେବି କି ଶ୍ରୀ ଅଙ୍ଗେ, ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ, ଅଧର ସୁନ୍ଦର, ନୟନ ସୁନ୍ଦର ଆଦି ଭଜନ ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ । ଖବର ପରିବେଷଣ ସହ ଶ୍ରୀଜଗନ୍ନାଥଙ୍କ ଭଜନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ତକ୍ଷକଟିଭିର ଉଦ୍ୟମକୁ ପ୍ରଶଂସା କରିଥିଲେ । ରଥଯାତ୍ରା ସମୟରେ ସମସ୍ତେ ଶ୍ରୀଜଗନ୍ନାଥଙ୍କୁ ଭିନ୍ନ ଭିନ୍ନ ଭାବରେ ଭକ୍ତି ନୈବେଦ୍ୟ ଅର୍ପଣ କରୁଥିବା ବେଳେ ‘ତକ୍ଷକଟିଭି’ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଆୟୋଜନ କରି ଭକ୍ତି ପରିବେଶ ସୃଷ୍ଟି କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବାଚସ୍ପତି ଶ୍ରୀମତୀ ପାଢୀ କହିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅର୍ଗସ ନ୍ୟୁଜ ମୁଖ୍ୟ ସଂପାଦକ ସଞ୍ଜୟ ଜେନା ଶ୍ରୀଜଗନ୍ନାଥ ଓଡିଆ ଅସ୍ମିତା ଓ ଚେତନାର ପ୍ରତୀକ ବୋଲି କହିଥିଲେ । ନିଳାଦ୍ରୀ ବିଜେ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ରସଗୋଲା ଖୁଆଇବା ପରଂପରା ପଞ୍ଚଦଶ ଶତାବ୍ଦୀରେ ବଳରାମ ଦାସ ଲେଖିଥିଲେ । ଏହାଅର୍ଥ ମହିଳା ସଶକ୍ତିକରଣର ବାର୍ତ୍ତା ବହୁ ଆଗରୁ ସମଗ୍ର ବିଶ୍ବକୁ ଓଡିଶା ଦେଇଆସିଛି ବୋଲି ଶ୍ରୀ ଜେନା କହିଥିଲେ । ଭବିଷ୍ୟତ ପୀଢିକୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ପରିଚିତ କରିବା ପାଇଁ ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ ।
ସବ୍-ଜୁନିଅର ବର୍ଗରେ ସ୍ବୟମ ପ୍ରକାଶ ଦଳେଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦିବ୍ୟନ୍ଦୁ ମହାପାତ୍ର ଦ୍ବିତୀୟ ସ୍ଥାନ ଏବଂ ଦିବ୍ୟାଂଶୁ ଶେଖର ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ଜୁନିଅର ବର୍ଗରେ ଆହାନା ସ୍ବାଇଁ ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଦ୍ବିତୀୟ ସ୍ଥାନରେ ନିହାରିକା ମିଶ୍ର ଏବଂ ପ୍ରତ୍ୟୁଷ ମହାରଣା
ତୃତୀୟ ସ୍ଥାନ ହାସଲ କରିଥିଲେ । ସିନିଅର ବର୍ଗରେ ମନୋଜ କୁମାର ସାହୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ଇଶ୍ବରୀ ସାହୁ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ଶକ୍ତି ଶଙ୍କର ପତି । କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ଅର୍ଗସ ନ୍ୟୁଜ ମୁଖ୍ୟ ସଂପାଦକ ଶ୍ରୀ ସଞ୍ଜୟ ଜେନା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ମଞ୍ଚରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବା ଯୁବ ଚିତ୍ରଶିଳ୍ମୀ ସିନୁଲତାଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ । ପ୍ରାରମ୍ଭରେ ତକ୍ଷକଟିଭିର ସଂପାଦକ ଅପୂର୍ବ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅଭିନେତ୍ରୀ ମଧୁସ୍ମିତା ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here