ନିର୍ବାଚନ ପୂର୍ବରୁ ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଯାଇଥିଲା. କିଏ ଦଳରୁ ଟିକଟ ପାଇବା ପରେ ବି ଦଳ ଡେଇଁ ଅନ୍ୟ ଦଳକୁ ଚାଲିଗଲା ତ ଆଉ କିଏ ନିଜ ମୂଳ ଦଳରୁ ଟିକଟ ନ ପାଇବାରୁ ଦଳ ଡେଇଁ ପଳାଇଲା. ଏମିତି ଦଳ ଡିଆଁ ନେତାଙ୍କୁ ଶତ୍ରୁ ଶିବିରରେ ବି ଭଲ ଚର୍ଚ୍ଚା ମିଳିଲା. ଦଳ ଭିତରେ ରହି ସଂଗଠନ କରିଥିବା ନେତାଙ୍କ ଟିକଟ କାଟି ଦଳୀୟ ସୁପ୍ରିମୋମାନେ ଦଳଡିଆଁ ନେତାଙ୍କୁ ପ୍ରାଧାନ୍ୟ ଦେଇଥିଲେ. ତେବେ ଏମିତି ଦଳଡିଆଁ ନେତାଙ୍କୁ ଜନତା ଜନାର୍ଦ୍ଦନ କେମିତି ଗ୍ରହଣ କଲେ, ଆସନ୍ତୁ ନଜର ପକାଇବା.
ଝାରସୁଗୁଡାର କଂଗ୍ରେସ ନେତା ଭାବେ ପରିଚିତ ନବ କିଶୋର ଦାସ ନିର୍ବାଚନ ପୂର୍ବରୁ ବିଧାୟକ ପଦ ଓ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ. ବିଜେଡି ତାଙ୍କୁ ଝାରସୁଗୁଡାରେ ପ୍ରାର୍ଥୀ କରିଥିଲା, ଆଉ ସେ ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି. କିନ୍ତୁ ସୁନ୍ଦରଗଡରେ ବିଜେଡି ଗଣିତ ଭୁଲ ହୋଇଗଲା. ଦଳ କୁସୁମ ଟେଟେଙ୍କୁ ଉପେକ୍ଷା କରି ଯୋଗେଶ ସିଂଙ୍କୁ ଟିକଟ ଦେଲା. କୁସୁମ ଟେଟେ ଦଳ ଛାଡି ବିଜେପିରୁ ପ୍ରାର୍ଥୀ ହେଲେ ଏବଂ ନିର୍ବାଚନ ବାଜି ମାରିନେଲେ. ଭବାନୀପାଟଣାରେ ବି ଦଳଡିଆଁ ନେତାଙ୍କୁ ଭୋଟର ପ୍ରତ୍ୟାଖାନ କଲେ. କଂଗ୍ରେସ ବିଧାୟକ ଭାବେ ଜିତି ଆସୁଥିବା ବାବୁ ଦୁଷ୍ମନ୍ତ ନାଏକ ନିର୍ବାଚନ ପୂର୍ବରୁ ଦଳ ଛାଡି ବିଜେଡିରେ ମିଶିଥିଲେ. ଏଥର ବିଜେଡି ଟିକଟରେ ନିର୍ବାଚନ ଲଢିଥିଲେ. ମାତ୍ର ଭାଗ୍ୟ ସାଥ୍ ଦେଲାନି. ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକଙ୍କ ଠାରୁ ସେ ନିର୍ବାଚନ ହାରିଗଲେ. ନବରଙ୍ଗପୁରରେ ବି ଦଳଡିଆଁ ନେତାଙ୍କୁ ତାଙ୍କ ଭାଗ୍ୟ ସାଥ ଦେଲାନି. ଗତ ନିର୍ବାଚନରେ ବିଜେଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବଳଭଦ୍ର ମାଝୀଙ୍କ ଏଥର ଦଳ ଟିକଟ ଦେଲାନି. ବାବୁ ଦଳ ଡେଇଁ ବିଜେପିକୁ ପଳେଇଥିଲେ. ବିଜେପି ଟିକଟରେ ନବରଙ୍ଗପୁରରେ ଲୋକସଭା ପାଇଁ ନିର୍ବାଚନ ଲଢି ମାଝୀ ବାବୁ ହାରିଗଲେ. ଆନନ୍ଦପୁରରେ କିନ୍ତୁ ଦଳଡିଆଁ ନେତାଙ୍କୁ ଭୋଟର ଗ୍ରହଣ କରିନେଲେ. ବିଜେପିରୁ ଟିକଟ ପାଇବା ପରେ ଭାଗିରଥୀ ସେଠୀ ଦଳ ଛାଡି ବିଜେଡିକୁ ପଳାଇ ଆସିଥିଲେ. ବିଜେଡି ଭାଗିରଥୀଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା, ଆଉ ବାବୁ ଭାଗିରଥୀ କଂଗ୍ରେସର ଟାଣୁଆ ନେତା ଜୟଦେବ ଜେନାଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି. ମୟୁରଭଞ୍ଜ ଜିଲ୍ଲାରେ ଜଣେ ଟାଣୁଆ ନେତା ହେଉଛନ୍ତି ରାଜକିଶୋର ଦାସ. ବିଜେପିରେ ଦୀର୍ଘଦିନ ଧରି ରାଜନୀତି କରି ଆସୁଥିବା ରାଜକିଶୋରଙ୍କୁ ଦଳ ଅଣଦେଖା କଲା. ଟିକଟ ନପାଇ ରାଜକିଶୋର ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ. କେବେ ବିଧାୟକ ହୋଇ ପାରି ନଥିବା ରାଜକିଶୋର ଏଥର ବିଜେଡି ଟିକଟରେ ମୋରଡା ଆସନରୁ ନିର୍ବାଚିତ ହୋଇଛନ୍ତି. ସାଲେପୁରରେ ଦଳଡିଆଁ ନେତାଙ୍କୁ ଲୋକେ ଗ୍ରହଣ କଲେନି. ପ୍ରକାଶ ବେହେରା ଗତଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ. ମାତ୍ର ଏଥର ନିର୍ବାଚନ ପୂର୍ବରୁ ସେ ଦଳ ଛାଡି ବିଜେପିର ହାତ ଧରିଥିଲେ. ମାତ୍ର ସାଲେପୁରବାସୀ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି. ବାଲିକୁଦା ଏରସମାରେ କିନ୍ତୁ ଦଳଡିଆଁ ନେତାଙ୍କୁ ଭୋଟର ଜିତେଇ ଦେଲେ. ଦୀର୍ଘବର୍ଷ ଧରି ବିଜେପିରେ ସଂଗଠନ କରୁଥିବା ରଘୁନନ୍ଦନ ଦାସଙ୍କୁ ଟିକଟ ନଦେଇ ବିଜେପି ପୁରୁଖା ନେତା ଦାମୋଦର ରାଉତଙ୍କୁ ପ୍ରାର୍ଥୀ କରିବାରୁ ରଘୁନନ୍ଦନ ବିଜେଡିକୁ ପଳେଇଲେ. ଆଉ ନିର୍ବାଚନ ବୈତରଣୀ ବି ପାରି ହୋଇଗଲେ. କାକଟପୁରରେ କିନ୍ତୁ ଦଳଡେଇଁ ବିଜେଡିକୁ ଆସିଥିବା ନେତା ନିର୍ବାଚନ ବୈତରଣୀ ପାରି ହୋଇଗଲେ. ବିଜେପିରୁ ଟକଟ ପାଇବା ପରେ ତୁଷାରକାନ୍ତି ବେହେରା ଦଳ ଛାଡି ବିଜେଡି ଟିକଟରେ ନିର୍ବାଚନ ଲଢିଥିଲେ. ଏକାମ୍ର ଭୁବନେଶ୍ବରର ବିଜେଡି ନେତା ବାବୁ ସିଂ. ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଟିକଟ କାଟି ତାଙ୍କୁ ପ୍ରାର୍ଥୀ କରିବାକୁ ସେ ଲବି କରୁଥିଲେ. ମାତ୍ର ଦଳ ତାଙ୍କ କଥା ନ ଶୁଣିବାରୁ ସେ ଦଳ ଛାଡି ବିଜେପିରେ ମିଶିଥିଲେ. ବିଜେପି ବି ଏକାମ୍ର ଭୁବନେଶ୍ବରର ଆଶାୟୀ ପ୍ରାର୍ଥୀ ଅମୀୟ ଦାସଙ୍କୁ ଟିକଟ ନ ଦେଇ ଦଳଡିଆଁ ନେତା ବାବୁ ସିଂଙ୍କୁ ପ୍ରାର୍ଥୀ କଲା. ଫଳ ହେଲା, ବାବୁ ସିଂ ହାରିଗଲେ.
ଏମାନଙ୍କ ବ୍ୟତୀତ କିଛି ପୁରୁଖା ନେତା ନିର୍ବାଚନ ପୂର୍ବରୁ ସେମାନଙ୍କ ଆଦର୍ଶ ବିରୋଧୀ ଦଳରେ ଯୋଗ ଦେଇ ଭାଗ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇଥିଲେ. ଯେମିତି ଦାମୋଦର ରାଉତ . ରାଜନୀତିରେ ଦୀର୍ଘବର୍ଷ ବିଜୁ ଲିଗାସୀ କଥା କହୁଥିବା ଓ ବିଜେପିକୁ କଟୁ ସମାଲୋଚନା କରି ଆସୁଥିବା ଦାମ ବାବୁ ଶେଷ ମୁହୂର୍ତ୍ତରେ ବିଜେପିରେ ମିଶିଗଲେ. ମାତ୍ର ଭାଗ୍ୟ ସାଥ୍ ଦେଲାନି. ବାଲିକୁଦା ଏରସମାରୁ ହାରିଗଲେ ଦାମବାବୁ. ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅବସ୍ଥା ବି ସମାନ ହେଲା. କେନ୍ଦ୍ରାପଡାରୁ ଅନୁଭବ ମହାନ୍ତିଙ୍କ ପାଖରୁ ନିର୍ବାଚନ ହାରିଗଲେ ବୈଜୟନ୍ତ. ନିର୍ବାଚନ ହାରିଗଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ . ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପଞ୍ଚାନନ.

LEAVE A REPLY

Please enter your comment!
Please enter your name here