ଉଗ୍ର ହେଲା ଦୁଇ ଗାଁର ବିବାଦ । କେନାଲ ପାଣି ପାଇଁ ଦୁଇ ଗାଁ ମଧ୍ୟରେ ଖଣ୍ଡ ଯୁଦ୍ଧ । ପାଣି ପାଇଁ ଗଡିଲା ଦୁଇ ମୁଣ୍ଡ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମବାସୀଙ୍କ ମଧ୍ୟରେ କେନାଲ ପାଣି ପାଇଁ ଘଟିଛି ଖଣ୍ଡଯୁଦ୍ଧ । ଉଭୟ ଗାଁର ଶତାଧିକ ମହିଳା ଓ ପୁରୁଷ ତୀର, ଫାର୍ସା ଓ ଟାଙ୍ଗିଆ ଧରି ଆକ୍ରମଣ ଓ ପ୍ରତିଆକ୍ରମଣ କରିବା ପରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ତୀର ମାଡରେ ଦୁଇ ଜଣଙ୍କର ମୁଣ୍ଡ ଗଡିଥିବାବେଳେ ଗୋଷ୍ଠୀ ସଂଘର୍ଷରେ ୨୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତମାନେ ଆଠଗଡ, କଟକ ବଡମେଡିକାଲ ସମେତ ବିଭିନ୍ନ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି । ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଚାମୁଣ୍ଡାପାଲି କେନାଲ ଜଳ ବଣ୍ଟନ ପାଇଁ ଲାଗି ରହିଥିବା ବିବାଦ ଶେଷରେ ଏମିତି ଉଗ୍ର ରୂପ ନେଇଛି । ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁଚନାଅନୁସାରେ, ଦୀର୍ଘ ୫୦ ବର୍ଷ ଧରି ସାଗର ଚାମୁଣ୍ଡାପଲ୍ଲୀ ବନ୍ଧକୁ ଗ୍ରାମବାସୀମାନେ ଖୋଳିଥିଲେ । ସେଥିରୁ ଗୋଟିଏ କେନାଲ ସାଗର ବନ୍ଧ ସହିତ ସଂଯୋଗ କରି ସେମାନେ ଉକ୍ତ ପାଣିକୁ ଆଖପାଖ ରଙ୍ଗଡାବ, ବଡବାରେଣା, ବନ୍ଧହୁଡା, ଅଢେଇଗୁଣ୍ଡି, ବାଗଧରିଆ, କମଳାଦେଇପୁର ଆଦି ଗାଁରେ ଥିବା ଦୁଇ ହଜାର ହେକ୍ଟରରୁ ଅଧିକ ଚାଷଜମିକୁ ଜଳସେଚିତ କରେଇ ଆସୁଥିଲେ । କିନ୍ତୁ ପାଞ୍ଚଗୋଛିଆ ଗ୍ରାମବାସୀ ଉକ୍ତ ବନ୍ଧର ତଳପଟୁ ଘାଇ କରିଦେଇଥିବାରୁ ସାଗର କେନାଲକୁ ପାଣି ଆସୁନଥିଲା । ଏହାକୁ ନେଇ ବର୍ଷ ବର୍ଷ ଧରି ଲାଗି ରହିଥିଲା ବିବାଦ । ଆଠଦିନ ତଳେ କେନାଲ ବନ୍ଧକୁ ନେଇ ସାଗର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରଶାସନ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା । ପ୍ରଶାସନ ପାଖରେ ଏ ସମ୍ପର୍କରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ, ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା । ଏବେ ଗୋଷ୍ହୀ ସଂଘର୍ଷ ପରେ ଦୁଇ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here