ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଭାରତୀ ସିଂ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଏହି ଆଦିବାସୀ ମହିଳା ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ । ଗତ 11 ତାରିଖ ଦିନ ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ ଆନ୍ଦୋଳନ କରିବା ପାଇଁ ଭୁବନେଶ୍ବର ଆସିଥିଲେ । ବେତନ ବୃଦ୍ଧି ସହ ବିଭିନ୍ନ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ବେଳେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ, ପାଣ୍ଡିଆନ ସାର୍ ବାରିପଦା ଯାଇ ଯେତିକି ଟଙ୍କା ଖର୍ଚ୍ଚ କଲେ, ସେତିକି ଟଙ୍କା ସେମାନଙ୍କ ଦରମା ବଢାଇବା ପାଇଁ ହେଉ ଅବା ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରିଥିଲେ ଭଲ ହୋଇଥାନ୍ତା । ଭାରତୀଙ୍କ ଏହି କଥା ପଦକ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ବାସ୍, ଏତିକି କଥାରେ ଏବେ ତାଙ୍କୁ ଚାକିରୀ ହରାଇବାକୁ ପଡିଛି । ସେ ଭୁବନେଶ୍ବରରୁ ବିକ୍ଷୋଭ ସାରି ବାରିପଦା ଫେରିବା ପରେ ତାଙ୍କୁ ବ୍ଲକରୁ ଡାକରା ଆସିଲା । ବ୍ଲକ କମିଟି ଆଗରେ ତାଙ୍କୁ ପାଣ୍ଡିଆନ ସାରଙ୍କ ନାଁରେ କାହିଁକି କହିଲ ବୋଲି ପଚରାଗଲା । ସେ କହିଲେ, କହୁ କହୁ କହିଦେଇଛନ୍ତି । ଆଉ କହିବେନି । ଭୁଲ୍ ମାଗିଲେ । ମାତ୍ର ସବୁ ବୃଥା ହେଲା । ସେ ବ୍ୟାଙ୍କ ନିୟମିତ ଯାଉନାହାନ୍ତି, ମହିଳାଙ୍କୁ ସମ୍ମାନ ଦେଉନାହାନ୍ତି, ଇତ୍ୟାଦି ଅଭିଯୋଗ ଉଲ୍ଲେଖ କରି ତାଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି । ଚାକିରୀ ବାହାରିବା ପରେ ଭାରତୀ ପଚାରୁଛନ୍ତି, ତାଙ୍କର ଭୁଲ୍ କଣ ? ଏମିତି କହିବାରେ ଭୁଲ୍ କୋଉଠି ରହିଲା ? କହିବାର ଅଧିକାର ତ ସମସ୍ତଙ୍କର ଅଛି । ସେ ନିଜ ପାଇଁ ନୁହେଁ, ସମସ୍ତଙ୍କ ପାଇଂ କହିଥିଲେ । ମାତ୍ର ତାଙ୍କୁ ଚାକିରୀ ହରାଇବାକୁ ପଡିଲା । ମାସିକ 6 ହଜାର ଟଙ୍କା ଯଦିଓ ଘର ଚଳାଇବା ପାଇଁ ଯଥେଷ୍ଟ ନୁହେଁ, ତଥାପି ତାଙ୍କ ଦରମା ଟଙ୍କାରେ ଘର ଚଳୁଥିଲା । ଚାକିରୀ ଖଣ୍ଡକ ଫେରି ପାଇବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କେହି ଶୁଣିନାହାଁନ୍ତି । ଏବେ ବ୍ୟାଙ୍କ ମିତ୍ର ସଂଘ ଯାହା ନିଷ୍ପତ୍ତି ନେବ ବୋଲି ଅତି ଦୁଃଖରେ କହିଛନ୍ତି ଭାରତୀ ।

LEAVE A REPLY

Please enter your comment!
Please enter your name here