ରାଜ୍ୟର ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ କଂକ୍ରିଟ୍ ହୋଇନଥିବା ୧୫,୦୦୦ ଲୁମପିଟକୁ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମପିଟକୁ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ । ରାଜ୍ୟର ୩୧,୩୪୨ଟି ଲୁମପିଟ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମପିଟକୁ କଂକ୍ରିଟ କରାଯାଇଛି । ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରାଥମିକତା ଭିତ୍ତିରେ ହାଉସ୍ କମ୍ ୱାର୍କ ସେଡ୍ ଯୋଗାଇ ଦିଆଯିବ । ଏ ପର୍ଯ୍ୟନ୍ତ ୧୧୬୯୫ଟି ହାଉସ୍ କମ୍ ୱାର୍କ ସେଡ୍ ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା । ତେଣୁ ବୁଣାକାରମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡ଼ିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନା ରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ। ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତରାଜ ବିଭାଗର ଗାଇଡଲାଇନ୍ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ । ଏହି ପ୍ୟାକେଜରେ ବୁଣାକାରମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ବୁଣାକାରମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବୁଣାକାରମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା – ସିଏଫସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ ।

LEAVE A REPLY

Please enter your comment!
Please enter your name here