ଦଶ ମାସ ଦଶ ଦିନ ନିଜ ଗର୍ଭରେ ଧାରଣ କରି, ଅନେକ କଷ୍ଟ ସହି ପିଲାଟିକୁ ଜନ୍ମ ଦେଇଥାଏ ମା’. ପିଲାଟି ବଡ ହେବା ପର୍ଯ୍ୟନ୍ତ ଲାଳନପାଳନ ଠିକ୍ ବାଟରେ ଚାଲିବା ପାଇଁ ଶିକ୍ଷା ମଧ୍ୟ ଦେଇଥାଏ. ହେଲେ ଯେତେବେଳେ ସେ ପିଲାଟି ବଡ ହୁଏ ନିଜ ମା’ ଆୟତ୍ତରେ ନ ରହି, ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଖରାପ ରାସ୍ତାରେ ପାଦ ଦିଏ. ଆଉ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟ ମଧ୍ୟ କରିଥାଏ. ଠିକ୍ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ. ଜଣେ ମଦ୍ୟପ ପୁଅ ନିଜ ମା’କୁ ଜିଅନ୍ତା ଜାଳିଦେଇଥିବା ଦୃଶ୍ୟ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି. ତେବେ ଏଠାରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ସେ ପୁଅ କିଭଳି ଏତେ ନୃଶଂସ ହୋଇପାରିଲା ? ଏଭଳି ଜଘନ୍ୟ କାମ କରିବା ପୂର୍ବରୁ ତା ହାତ ଥରିଲାନି କେମିତି ? ଆଜ୍ଞା ହଁ, ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ଏମପିଭି-55 ଗ୍ରାମରେ ତାପସ ମଣ୍ଡଳ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ମଦ ପିଇ ଘରକୁ ଆସେ. ଘରକୁ ଆସିବା ପରେ ପରିବାରର ସମସ୍ତଙ୍କୁ ଗାଳିଗୁଳଜ କରେ. ଦିନକୁ ଦିନ ଏହା ବଢିବାରୁ ମଦ୍ୟପ ତାପସର ସ୍ତ୍ରୀ ମଧ୍ୟ ତାକୁ ଛାଡି ଚାଲିଯାଇଛି. ଏତେ ସବୁ ପରେ ମଧ୍ୟ ସେ ନିଜକୁ ପରିବର୍ତ୍ତନ ନ କରି ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ମଦ ପିଇ ଘରକୁ ଆସିଥିଲା. ଏହାକୁ ଦେଖି ତାପସର ମା’ ଗୀତା  ତାପସକୁ ପାଟି କରିଥିଲେ. ଏଥିରେ ସେ ରାଗିଯାଇ ନିଜ ମା’ର ମୁଣ୍ଡକୁ ପଥରରେ ଛେଚି ଦେଇଥିଲା. ଯାହାଫଳରେ ଗୀତା ଛଟପଟ ହୋଇ ତଳେ ପଡିଯାଇଥିଲେ. ସେତିକିରେ ତାର ମନ ବୁଝିନଥିଲା ଯେ, ପାଳକୁଟା ଆଣି ମା’ ଉପରେ ପକାଇ ସେଥିରେ ନିଆଁ ଲଗାଇ ଦେଇଥିଲା. ନିଆଁଟି ହୁତ୍ ହୁତ୍ ଜଳୁଥିଲା.. ଗୀତାଙ୍କ ଚିତ୍କାର ଶୁଣି ସାହି ଲୋକ ଦୌଡି ଆସିଥିଲେ ହେଲେ ସେହି କୁଳାଙ୍ଗାର ପୁଅ ମନକୁ ଟିକିଏ ହେଲେ ଦୟା ଆସିନଥିଲା..ସମସ୍ତେ ଆସିଲା ବେଳକୁ ନୀରବି ଯାଇଥିଲେ ମା’ ଗୀତା. ପରବର୍ତ୍ତୀ ସମୟରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ. ମାତ୍ର ଅଭିଯୁକ୍ତ ତାପସ ଫେରାର ହୋଇଯାଇଥିବା ସୂଚନା ମିଳିଛି.

 

LEAVE A REPLY

Please enter your comment!
Please enter your name here