ଆଜି ପହିଲି ରଜ । ଗାଁ ଗାଁରେ ପିଠାପଣା, ରଜଦୋଳିକୁ ନେଇ ଉତ୍ସାହ । ଦଶ ବର୍ଷର ଶିଶୁ ଆଶୁତୋଷ ଆଚାର୍ଯ୍ୟ ବି ଖୁସିରେ ତା ମା ସହ ଗାଧେଇବାକୁ ଯାଇଥିଲା ନଦୀକୁ । ମା ଗାଧଉଥିବା ବେଳେ କିଛି ଦୂରରେ ସେ ଶୌଚ ହେବାକୁ ଯାଇଥିଲା । ହଠାତ ତା ଗୋଡକୁ ଧରି ପକାଇଥିଲା କୁମ୍ଭୀର । ମା ମା ବୋଲି ଚିତ୍କାର କରୁଥିଲା ଆଶୁତୋଷ । ପୁଅର ପାଟିଶୁଣି ମାଆ ଧାଇଁ ଯାଇଥିଲେ ପୁଅ ପାଖକୁ । ମାତ୍ର କୁମ୍ଭୀର ପୁଅକୁ ନଦୀ ଭିତରକୁ ଟାଣି ନେଇ ଯାଇଥିଲା । ମାଆ ପାଟି କରି ଗାଁ ଲୋକଙ୍କୁ ଡାକିଲା ବେଳକୁ ଦଶ ବର୍ଷର ଶିଶୁ ନଦୀ ଭିତରେ ହଜି ଯାଇଥିଲା । ଗାଁ ଲୋକେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଆଶୁତୋଷର ମୃତଦେହ ଉଦ୍ଧାର କରିଥିଲେ । ଆଜି ପହିଲି ରଜରେ ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ନିମପୁର ଗାଁରେ । କୁମ୍ଭୀର ଆକ୍ରମଣରେ ଶିଶୁର ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ଘଟିବାର ଦେଢଗଣ୍ଟା ପରେ ବନ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଆଶୁତୋଷର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଖି ଆଗରେ ପୁଅର ମୃତ୍ୟୁକୁ ଦେଖି ଆଶୁର ମାଆ ଭାଙ୍ଗିପଡିଛନ୍ତି ।