ରଥ ତିଆରି ଚାଲିଥିଲେ ବି ରଥଯାତ୍ରା ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ I ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଓ ହାଇକୋର୍ଟ ସ୍ପଷ୍ଟ କରିସାରିଛନ୍ତି I ରଥଯାତ୍ରାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ରାଜ୍ୟ ସରକାର କିଛି ସ୍ପଷ୍ଟ ନ କରିବା ସମସ୍ତଙ୍କୁ ଆଶଙ୍କା ଭିତରେ ରଖିଛି I ପୂର୍ବରୁ ଲକ୍ ଡାଉନ କଟକଣା ଯୋଗୁ ରଥ ନିର୍ମାଣ ବିଳମ୍ବରେ ଆରମ୍ଭ ହୋଇଥିଲେ ହେଁ ମହାରଣାମାନେ ଯୁଦ୍ଧକାଳୀନ ଭିତ୍ତିରେ ରଥ ତିଆରିରେ ଲାଗି ପଡିଛନ୍ତି I ଅନ୍ୟପକ୍ଷରେ ଭାରତ ବିକାଶ ପରିଷଦ ନାମକ ସଂଗଠନ ଏ ସଂପର୍କରେ ଶୁଣାଣୀ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି I କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ଭିତରେ ଗତ 8 ତାରିଖରୁ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଥିଲେ ହେଁ ରାଜ୍ୟ ସରକାର ପୂର୍ବଭଳି କଟକଣା ବଳବତ୍ତର ରଖିଛନ୍ତି I କରୋନା ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଥିବାରୁ ରଥଯାତ୍ରା ନେଇ ସରକାର ମଧ୍ୟ ଦ୍ବନ୍ଦ୍ବରେ ଥିବା କୁହାଯାଉଛି I ଯ଼ଦିବି ସରକାର ରଥଯାତ୍ରା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ପୁରୀ ସହରକୁ ସିଲ୍ କରି ରଥଯାତ୍ରା କରାଯାଇପାରେ ବୋଲି କୁହାଯାଉଛି I ଏପରିକି ପୁରୀ ସହର ବାସିନ୍ଦାଙ୍କୁ ମଧ୍ୟ ରଥ ଟାଣିବାକୁ ବଡଦାଣ୍ଡକୁ ଛଡାଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି I ସମସ୍ତେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବେଳେ ରଥଯାତ୍ରା ଦିନ ପାଖେଇ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଉଛି I ମାତ୍ର ରାଜ୍ୟ ସରକାର ଯେପରି ସ୍ନାନପୂର୍ଣ୍ଣିମା କଟକଣା ଭିତରେ କଲେ, ସେମିତି କିଛି କଟକଣା ଭିତରେ ରଥଯାତ୍ରା ହେବ ବୋଲି ଆଶା କରାଯାଉଛି I

LEAVE A REPLY

Please enter your comment!
Please enter your name here