କୁଆଡେ ଗଲେ କରୋନାରେ ଆକ୍ରାନ୍ତ ହୋଇଥିବା ଅସହାୟ ଦିନ ମଜୁରିଆ ଗନ୍ଧର୍ବ ଜେନା । ନିଖୋଜକୁ ୨ ମାସ ବିତିଗଲାଣି । କିନ୍ତୁ କାହାର ନିଘା ନାହିଁ । ଥାନାକୁ ଦଉଡି ଦଉଡି ନିରୁପାୟ ହୋଇପଡିଛନ୍ତି ପରିବାର ଲୋକେ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଜନପଲା ଗାଁର ଅସହାୟ ଦିନ ମଜୁରିଆ ଗନ୍ଧର୍ବ ଜେନା । ମେ ୧୪ରେ କରୋନା ଆକ୍ରାନ୍ତ ହେବାରୁ ପରିବାର ଲୋକେ ଗନ୍ଧର୍ବଙ୍କୁ ୧୮ରେ ପାରାଦୀପ କୋଭିଡ ହସ୍ପିଟାଲରେ ଚିିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ପରେ ଗନ୍ଧର୍ବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ମେ ୨୧ ରେ ଡାକ୍ତର ଗନ୍ଧର୍ବଙ୍କୁ କଟକ ଏସସିବି ସ୍ଥାନାନ୍ତର କରିଥିଲେ । ୨୨ରେ ପରିବାର ଲୋକେ ଓ ଗ୍ରାମବାସୀ ଗନ୍ଧର୍ବଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଏସସିବି ହସ୍ପିଟାଲକୁ ଯାଇଥିଲେ । ହେଲେ ସେତେବେଳକୁ ଗନ୍ଧର୍ବ ଏସସିବି ବଡ ମେଡିକାଲରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ହେଲେ ଶେଷରେ ନିରାଶ ହୋଇଥିଲେ । ମେ ୩୦ରେ କୁଜଙ୍ଗ ଥାନା ଓ ଜୁନ୍ ୬ ତାରିଖରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । କିନ୍ତୁ ନିଖୋଜକୁ ୨ ମାସ ବିତିଗଲାଣି । ହେଲେ ଫଳ ଶୂନ । ଏପଟେ ଗନ୍ଧର୍ବଙ୍କ ଫେରିବା ବାଟକୁ ଅପେକ୍ଷା କରି ଭୋକ ଉପାସରେ ଦିନ କାଟୁଛନ୍ତି ପରିବାର ଲୋକେ । ଏବେ ଏହି ପରିବାରଙ୍କ ପାଖରେ ପହଁଞ୍ଚିଛନ୍ତି ସମାଜ ସେବୀ ଶ୍ରୀମୟୀ ଆଚାର୍ଯ୍ୟ । ସେମାନଙ୍କୁ ଦୁଇ ଓଳି ଖାଇବାକୁ ଦେବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାପାଳ ଅସହାୟ ଗନ୍ଧର୍ବ ପରିବାରକୁ ଆର୍ଥିକ ଅନୁଦାନ ଯୋଗାଇବା ସହିତ ନିଖୋଜ ଗନ୍ଧର୍ବଙ୍କୁ ଖୋଜିବାକୁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ରିପୋର୍ଟ-ପ୍ରଭାସ ସାହୁ

LEAVE A REPLY

Please enter your comment!
Please enter your name here