ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଆସନ୍ତା 8 ତାରିଖରେ ଡିଜିପି ଅଫିସ ଘେରାଉ କରିବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୃତ କୁଳମଣି ବରାଳଙ୍କ ପୁଅ ମାହାଙ୍ଗା ଥାନାରେ ବାରଜଣଙ୍କ ନାଁରେ ଦେଇଥିବା ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ରାଜନୀତି ପୁଣି ସରଗରମ ହୋଇଛି । ବିଜେପି ସଂଗଠନ ପାଇଁ କୁଳମଣି କାମ କରୁଥିବାରୁ ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରୁଥିବାରୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ମୁଖ୍ୟତଃ ପିଏମ ଆବାସ ଯୋଜନାରେ ଦୁର୍ନୀତି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ କୁଳମଣିଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହାକୁ ନେଇ ଦଳ ଚୁପ୍ ବସିବ ନାହିଁ ଏବଂ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଆଠ ତାରିଖରେ ଜିଡିପି ଅଫିସ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଆସୁଥିବା ବେଳେ ଏବେ ଦଳ ପକ୍ଷରୁ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରାଯାଇଛି । ପୋଲିସର ଦାୟିତ୍ବହୀନତା ପାଇଁ ଡିଜିପି ଅଫିସ ଘେରାଉ କରାଯିବ ବୋଲି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କାଲିଠୁ ଯୁବମୋର୍ଚ୍ଚା ପକ୍ଷରୁ ସବୁଥାନା ଘେରାଉ କରାଯିବ ଏବଂ 6 ତାରିଖରେ ଏସପି ଅଫିସ ଘେରାଉ କରାଯିବ ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଏଭଳି ଜଘନ୍ୟ ଅପରାଧ ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ ରାଜନୈତିକ ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଦେଖାଇଛନ୍ତି । କ୍ଷମତା ପାଇଁ ଶାସକ ଦଳ ଏଭଳି ହତ୍ୟାକାଣ୍ଡ କରୁଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଅପରାଧୀକୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଚାହାନ୍ତି ।

LEAVE A REPLY

Please enter your comment!
Please enter your name here