ଜାପାନରେ ସୋମବାର ଦିନ ଭୂକମ୍ପର ବହୁତ୍ ବଡ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁର ସମୁଦ୍ରତଟରୁ ପ୍ରାୟ ୧୦୦ କିମି ଦୂର ପାଣି ଭିତରେ ରହିଛି । ଭୂକମ୍ପର ଗଭୀରତା ଜଳସ୍ଥରରୁ ୧୦ କିଲୋମିଟର ଭିତରେ ମପା ଯାଇଛି ।ଭୂମିକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୫୩ ମିନିଟରେ ଅନୁଭୂତ ହୋଇଥିଲା । ଏହାର ଝଟକା ଏତେ ତୀବ୍ର ଥିଲା ଯେ, ଶହ ଶହ କିଲୋମିଟର ଦୂର ଟୋକିଓର ବଡ ବଡ କୋଠା ଦୋହଲିବାରେ ଲାଗିଥିଲା । ଏହି ଭୂକମ୍ପ ଝଟକା ପରେ ଜାପାନରେ ଆଲର୍ଟ ଜାରି କରାଯାଇଛି । ଜାପାନର ପାଣିପାଗ ବିଭାଗ କହିଛି ଯେ,ଭୂକମ୍ପ ପରେ ଜାପାନରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହା ପୂର୍ବରୁ ଜାପାନରେ ୨୦୧୧ରେ ୯.୦ ଭୂକମ୍ପ ଏବଂ ସୁନାମୀ ଯୋଗୁଁ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପାଣିପାଗ ବିଭାଗ ଅନୁଯାୟୀ, ସୋମବାର ଅନୁଭୂତ ଭୂକମ୍ପର ପ୍ରଭାବରେ ସୁନାମୀ ଆସିପାରେ । ଲହଡି ଉଚ୍ଚତା ପ୍ରାୟ ୧୦ ଫୁଟ୍ ରହିପାରେ ।













