ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ପଦରେ ସି. ଜିନପିଙ୍ଗ୍ । ଚୀନ ସଂସଦ ସି. ଜିନପିଙ୍ଗଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କରିବା ସହ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି । ଆଜିଠାରୁ ଆଉ ପାଞ୍ଚବର୍ଷ ପାଇଁ ଚୀନରେ ଜିନପିଙ୍ଗଙ୍କ ସରକାର ଚାଲିବ ।
ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ଥିବା ସି. ଜିନପିଙ୍ଗଙ୍କୁ ନେତୃତ୍ବ ନେବା ପାଇଁ ପୂର୍ଣ୍ଣ ସମର୍ଥନ ମିଳିଛି । ରାଷ୍ଟ୍ରପତି ଭାବେ ଦାୟିତ୍ବ ନିର୍ବାହ କରିବା ସହ ଦେଶର କେନ୍ଦ୍ରୀୟ ସାମରିକ ଆୟୋଗର ମୁଖ୍ୟ ଭାବେ ମଧ୍ୟ ସେ ନିର୍ବାଚିତ ହୋଇଛନ୍ତି । 69 ବର୍ଷୀୟ ଜିନପିଙ୍ଗଙ୍କ ପାଖରେ ଚୀନକୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାର ସାମର୍ଥ୍ୟ ରହିଛି ବୋଲି କୁହାଯାଇଛି ।
2012ରେ ଜିନପିଙ୍ଗ ଯେତେବେଳେ ପ୍ରଥନ ଥର ପାଇଁ ଚୀନରେ କ୍ଷମତାକୁ ଆସିଲେ, ସେତେବେଳେ ରାଜନୈତିକ ବିଶ୍ଳେଷକମାନେ ଜିନପିଙ୍ଗ ଚୀନ ଇତିହାସରେ ସବୁଠୁ ଉଦାରବାଦୀ ଶାସକ ହେବେ ବୋଲି ଆକଳନ କରିଥିଲେ । ମାତ୍ର ଲଗାତର ତିନିଥର ଚୀନର ନେତୃତ୍ବ ନେବାର କ୍ଷମତା ଥିବା ବିଶ୍ବର ଏହି ପ୍ରଭାବଶାଳୀ ନେତାଙ୍କ ସଂପର୍କରେ ସେତେବେଳେ ଆକଳନ କରିଥିବା ରାଜନୈତିକ ବିଶ୍ଳେଷକଙ୍କ ମତ ମିଛ ପ୍ରମାଣିତ ହୋଇଛି । ଜିନପିଙ୍ଗ ଜଣେ କଠୋର ଏବଂ ବିଶୃଙ୍ଖଳାକୁ କେବେ ବି ପ୍ରଶ୍ରୟ ଦିଅନ୍ତିନି । ଚୀନକୁ ବିଶ୍ବର ଶୀର୍ଷସ୍ତରରେ ପହଞ୍ଚାଇବା ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀ ରହିଛି, ଯାହା ଚୀନବାସୀଙ୍କ ପାଇଁ ବେଶି ଗ୍ରହଣୀୟ ହୋଇଛି ।