ଇସଲାମାବାଦ: ବାଲୁଚିସ୍ତାନର ରାଜଧାନୀ କ୍ୱେଟା ସହରରେ ଏକ ଚଳନ୍ତା ଯାତ୍ରୀବାହୀ ଟ୍ରେନକୁ ଲକ୍ଷ୍ୟ କରି ରେଳ ଟ୍ରାକ୍ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ କରାଯାଇଛି। ଏହି ଭୟାବହ ବ୍ଲାଷ୍ଟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୨୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ରୁ ଅଧିକ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ହୋଇଛନ୍ତି। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଟ୍ରେନଟି ଦୋହଲି ଯାଇଥିଲା ଏବଂ କିଛି ବଗି ଧାରଣାରୁ ତଳକୁ ଖସି ପଡ଼ିଥିଲା।ସୂଚନା ଅନୁଯାୟୀ ଏକ ସ୍ପେଶାଲ ଶଟଲ୍ ଟ୍ରେନ୍ ଯାତ୍ରୀମାନଙ୍କୁ ନେଇ କ୍ୱେଟା କ୍ୟାଣ୍ଟ୍ ଅଭିମୁଖେ ଯାଉଥିଲା। ଟ୍ରେନଟି ଚମନ୍ ଫାଟକ ନିକଟ ଦେଇ ଗତି କରୁଥିବା ସମୟରେ ହଠାତ୍ ରେଳ ଲାଇନ୍ ଉପରେ ପୂର୍ବରୁ ଖଞ୍ଜା ଯାଇଥିବା ଏକ ଶକ୍ତିଶାଳୀ ଆଇଇଡି (IED) ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସହିତ ଚାରିଆଡେ ଧୂଆଁମୟ ହୋଇଯାଇଥିଲା l ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବ୍ଲାଷ୍ଟ ହେବାର କିଛି ସମୟ ପରେ ସଂପୃକ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା, ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଆତଙ୍କ ଖେଳିଯାଇଥିଲା।ଘଟଣା ସମ୍ପର୍କରେ ଖବର ପାଇ ପାକିସ୍ତାନୀ ସେନା, ସ୍ଥାନୀୟ ପୋଲିସ ଏବଂ ସମସ୍ତ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଟ୍ରେନର ଭାଙ୍ଗିଯାଇଥିବା ବଗି ଭିତରୁ ମୃତଦେହ ଏବଂ ଆହତମାନଙ୍କୁ ବାହାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।ରେଳବାଇ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବିସ୍ଫୋରଣର ପ୍ରଭାବ ଅତ୍ୟନ୍ତ ସାଂଘାତିକ ଥିଲା। ବ୍ଲାଷ୍ଟ ଯୋଗୁଁ ଟ୍ରେନର ମୁଖ୍ୟ ଇଞ୍ଜିନ ସହିତ ତିନୋଟି ବଗି ସମ୍ପୂର୍ଣ୍ଣ ଭାବେ ଲାଇନଚ୍ୟୁତ ହୋଇଯାଇଥିଲା ଏବଂ ସେଥିମଧ୍ୟରୁ ଦୁଇଟି ବଗି ମାଟିରେ ଓଲଟି ପଡ଼ିଥିଲା। କେବଳ ସେତିକି ନୁହେଁ, ରେଳ ଲାଇନ୍ ନିକଟରେ ଥିବା ପାର୍କିଂ ଏରିଆରେ ଛିଡ଼ା ହୋଇଥିବା ପ୍ରାୟ ୧୦ରୁ ଅଧିକ ଚାରିଚକିଆ ଯାନ ଏହି ବ୍ଲାଷ୍ଟ ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ବିଏଲ୍ଏ ପକ୍ଷରୁ କୁହାଯାଇଛି, ଆଜି ସକାଳେ ବେଲୁଚ ଲିବରେସନ ଆର୍ମିର ବିଶେଷ ଆତ୍ମଘାତୀ ଟିମ୍ ‘ମଜୀଦ ବ୍ରିଗେଡ୍’ ପକ୍ଷରୁ ଏକ ଟ୍ରେନ୍କୁ ଲକ୍ଷ୍ୟ କରି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା, ଯେଉଁଥିରେ ପାକିସ୍ତାନ ସେନାର ଯବାନମାନେ ଥିଲେ। ଏହି ଯୋଜନାବଦ୍ଧ ଆତ୍ମଘାତୀ ବିସ୍ଫୋରଣ ପାଇଁ ବିଏଲ୍ଏ ନିଜକୁ ଦାୟୀ କରୁଛି।













