ଶିଷ୍ୟମାନଙ୍କ କାର୍ଯ୍ୟକଳାପରେ ଗୁରୁ କ୍ଷୁବ୍ଧ । ମନକଷ୍ଟ । ବର୍ଷ ବର୍ଷ ଧରି ମାସିକ ଦରମା ଦେଇ ଗୁରୁ ଯେଉଁ ଶିକ୍ଷା ଦେଇଥିଲେ, ଇଏ କଣ ତାର ପରିଣାମ ? ନିଜକୁ ନିଜେ ପଚାରୁଛନ୍ତି ଗୁରୁ, ମୁଁ କଣ ଶିଷ୍ୟମାନଙ୍କୁ ଏଇ ଶିକ୍ଷା ଦେଇଥିଲି ? ଗୁରୁଦକ୍ଷିଣା ଦେବା ତ ଦୂରର କଥା, ଶିଷ୍ୟମାନେ ନିଜ ନିଜ ସ୍ବାର୍ଥ ପାଇଁ ଗୁରୁଙ୍କୁ ବି ନିନ୍ଦା କରିବାକୁ ପଛାଉନାହାଁନ୍ତି ।
ଗୁରୁ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ସମ୍ବାଦର ସମ୍ପାଦକ । ଅଶୀ ଦଶକରୁ ଓଡିଆ ଖବରକାଗଜରେ ବିପ୍ଳବ ଆରମ୍ଭ କରିଥିବା ସାମ୍ବାଦିକ ଗୁରୁ । ହଜାର ହଜାର ସାମ୍ବାଦିକଙ୍କୁ ସାମ୍ବାଦିକତାର ଧର୍ମ-କର୍ମ ଶିଖାଇଛନ୍ତି । ସୌମ୍ୟରଂଜନଙ୍କ ଠାରୁ ସାମ୍ବାଦିକତା ପାଠ ପଢିଥିବା ତାଙ୍କର ଅନେକ ଶିଷ୍ୟଙ୍କ ମଧ୍ୟରୁ ଜଣେ ଶିଷ୍ୟ ଏବେ ବିଜେଡିର ରାଜ୍ୟସଭା ସାଂସଦ । ଗୁରୁ ଯେଉଁ ଦଳରେ ବିଧାୟକ, ଶିଷ୍ୟ ସେହି ଦଳରେ ସାଂସଦ । ଖାଲି ସାଂସଦ ନୁହଁନ୍ତି, ଗୁରୁଙ୍କ ଭଳି ତାଙ୍କ ମାଲିକାନାରେ ବି ରହିଛି ଗୋଟିଏ ଟିଭି ଚ୍ୟାନେଲ ଓ ଗୋଟିଏ ଖବରକାଗଜ । ମାତ୍ର ଗୋଟିଏ ଦଳରେ ଥାଇ ବି ଗୁରୁ-ଶିଷ୍ୟଙ୍କ ମୁହଁ ଅଲଗା । ଗୁରୁ ତାମିଲ ସଚିବଙ୍କ ପ୍ରଚଣ୍ଡ ବିରୋଧୀ । ମାତ୍ର ଶିଷ୍ୟ ଏବେ ତାମିଲ ସଚିବଙ୍କ ପ୍ରିୟ ଶିଷ୍ୟ । ସେଦିନ ଗୁରୁ ସୌମ୍ୟରଜଂନଙ୍କୁ ସାମ୍ବାଦିକମାନେ ଘେରିଯାଇ ପ୍ରଶ୍ନ ପଚାରୁଥିଲେ । ବିଧାୟକ ହେବା ପରେ ଆପଣ ଖଣ୍ଡପଡା କେତେଥର ଆସିଛନ୍ତି ? ଖଣ୍ଡପଡାର ବିକାଶମୂଳକ କାମ କଣ ହେଇଛି .. ଇତ୍ୟାଦି ଇତ୍ୟାଦି । ଯେଉଁ ପ୍ରଶ୍ନ ପୂର୍ବରୁ ବିଜେଡି ନେତାମାନେ ପଚାରିଥିଲେ, ତାକୁ ଦୋହରାଇଥିଲେ ସାମ୍ବାଦିକମାନେ । ସୌମ୍ୟବାବୁ ସାମ୍ବାଦିକଙ୍କ ପ୍ରଶ୍ନର ଯାହା ଉତ୍ତର ଦେଲେ, ତାହା ଭିନ୍ନ କଥା । କିନ୍ତୁ ସାମ୍ବାଦିକଙ୍କ ଛାତିରେ ଝୁଲୁଥିବା ଆଇ-କାର୍ଡ ଦେଖି କହିଲେ, ତୁମେ ଯେଉଁ ଖବର କାଗଜ ଓ ଟିଭି ଚ୍ୟାନେଲରୁ ଆସିଛ, ସେମିତି ପ୍ରଶ୍ନ ହିଁ ପଚାରିବ । ତୁମେ ଯେଉଁ ଟିଭି ଚ୍ୟାନେଲ ଓ ଖବରକାଗଜରୁ ଆସିଛ. ସେହି ସଂସ୍ଥାରେ ଥିବା ସାମ୍ବାଦିକମାନେ ପୂର୍ବରୁ ମୋ ପାଖରେ କାମ କରୁଥିଲେ । ସେମାନଙ୍କୁ କଣ ମୁଁ ଏଇ ସାମ୍ବାଦିକତା ଶିକ୍ଷା ଦେଇଥିଲି ?
ଫାଇଭ ଟି ସଚିବ ପାଣ୍ଡିୟାନଙ୍କ ସଂପର୍କରେ ସୌମ୍ୟରଂଜନ ପଟ୍ଟନାୟକଙ୍କ କଟାକ୍ଷକୁ ନେଇ ବିଜେଡି ଚକ୍ରବ୍ୟୁହ ରଚନା କରିଛି । ପ୍ରତିଦିନ ଜଣେ ଜଣେ ନେତା, ବିଧାୟକ, ମନ୍ତ୍ରୀ, ସାଂସଦ ସୌମ୍ୟରଂଜନଙ୍କୁ ସମାଲୋଚନା କରି ଗଣମାଧ୍ୟମରେ ବିବୃତି ଦେବେ । ସୌମ୍ୟରଂଜନ ଯାହା କହୁଛନ୍ତି, ତାହା ଠିକ୍ ନୁହେଁ ବୋଲି କହିବେ । ବିଭିନ୍ନ ଟିଭି ଚ୍ୟାନେଲ ଓ ଖବରକାଗଜ ସାମ୍ବାଦିକମାନେ ସୌମ୍ୟରଂଜନଙ୍କୁ ଇଆଡୁସିଆଡୁ ପ୍ରଶ୍ନ ପଚାରି ସାଧାରଣରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବେ । ଏହାପରେ ସୌମ୍ୟରଂଜନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯିବ । ସୌମ୍ୟରଂଜନଙ୍କୁ ଘେରିବା ପାଇଁ ବିଜେଡିର ଏହି ଚକ୍ରବ୍ୟୁହରେ ସାମିଲ ହୋଇଛନ୍ତି ଏକଦା ତାଙ୍କର ଶିଷ୍ୟଥିବା ସାମ୍ବାଦିକମାନେ । ରାଜନେତାଙ୍କ ବିରୋଧ ଅପେକ୍ଷା ଏକଦା ଶିଷ୍ୟ ଥିବା ସାମ୍ବାଦିକଙ୍କ କଟାକ୍ଷ ଏବେ ଗୁରୁ ସୌମ୍ୟରଂଜନଙ୍କ ପାଇଁ ବେଶୀ କଷ୍ଟଦାୟକ ହୋଇଛି ।

LEAVE A REPLY

Please enter your comment!
Please enter your name here