ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ପରିସରରୁ ପାକିସ୍ତାନୀ ରେଞ୍ଜର୍ସ ଯେଉଁଭଳି ଢଙ୍ଗରେ ଉଠାଇ ନେଲେ, ତାକୁ ନାପସନ୍ଦ କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ଇମ୍ରାନଙ୍କୁ ଘଣ୍ଟାକ ଭିତରେ କୋର୍ଟରେ ହାଜର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନ ଖାନଙ୍କ ଗିରଫ ପ୍ରତିବାଦରେ ପାକିସ୍ତାନରେ ବ୍ୟାପକ ହିଂସାକାଣ୍ଡ ହୋଇଥିବା ବେଳେ ଆଜି ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି । ଏଥିସହିତ ଇସଲାମବାଦ ହାଇକୋର୍ଟ ରେଜିଷ୍ଟ୍ରାର ଓ ଇସଲାମବାଦ ଆଇଜିଙ୍କୁ କୋର୍ଟ ସମନ କରିଛନ୍ତି ।
ଇମ୍ରାନ ଖାନଙ୍କ ଗିରଫ ପ୍ରତିବାଦରେ ବିକ୍ଷୋଭକାରୀମାନେ ବ୍ୟାପକ ପୋଡାଜଳା କରିବା ଓ ସେନା ସମ୍ପତ୍ତି ନଷ୍ଟ କରିବା ଘଟଣାକୁ ପାକ୍ ସେନାର ମିଡିଆ ଉଇଙ୍ଗ ଆଇଏସପିଆର ନିନ୍ଦା କରିଛି । ମେ 9 ତାରିଖ ଦେଶ ପାଇଁ କଳାଦିବସ ଥିଲା ବୋଲି ଆଇଏସପିଆର ବର୍ଣ୍ଣନା କରିବା ସହ ଇମ୍ରାନ ଖାନଙ୍କ ଗିରଫ ଯଥାର୍ଥ ବୋଲି କହିଛି । ଇମ୍ରାନଙ୍କ ଗିରଫ ପରେ ତାଙ୍କ ସମର୍ଥକମାନେ ସଂଗଠିତ ଭାବେ ପାକିସ୍ତାନ ସେନା ହେଡକ୍ବାର୍ଟର, ସେନାର ଗାଡି ଓ କୋଠା ଉପରେ ଆକ୍ରମଣ କରିଥିଲେ ।

LEAVE A REPLY

Please enter your comment!
Please enter your name here