ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଲିଓନେସ୍ ମେସୀଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଯୋଗୁଁ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ଅରୁପ ବିଶ୍ୱାସ ନିଜ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇଛନ୍ତି । ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି , କଂଗ୍ରେସ ନେତା କୁନାଲ ଘୋଷ । କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ପାଇଁ କରାଯାଇଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ମେସି ମାତ୍ର ୧୦ ମିନିଟ୍ ଷ୍ଟାଡିୟମରେ ରହି ଚାଲି ଯାଇଥିଲେ । ହଜାର ହଜାର ଟଙ୍କା ଦେଇ ଟିକେଟ୍ କିଣିଥିବା ମେସିଙ୍କ ପ୍ରଶଂସକ ଷ୍ଟାଡିୟମ ଭିତରେ ଚେୟାର, ପାଣି ବୋତଲ ଫିଙ୍ଗିବା ସହିତ ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ନେଇ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଏବଂ ବିଧାନନଗର ପୋଲିସ କମିଶନର ମୁକେଶ କୁମାରଙ୍କୁ ମୁଖ୍ୟ ସଚିବ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟିକରଣ ରଖିବାକୁ ନିର୍ଦ୍ଦେଶ ରହିଛି । କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ କାହିଁକି ଖରାପ ବନ୍ଦୋବସ୍ତ କରାଗଲା ଏବଂ କେଉଁଠି ତ୍ରୁଟି ରହିଲା ତାହାର ଜବାବ ମାଗିଛନ୍ତି । ବିଧାନନଗର ଡେପୁଟି ପୋଲିସ କମିଶନର ଅନୀଶ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ତଦନ୍ତ ଶେଷ ହେବା ଯାଏ ତତ୍କାଳ ପ୍ରଭାବରୁ ପଦରୁ ନିଲମ୍ବିତ କରାଯାଇଛି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here