କେନ୍ଦ୍ର ସରକାରଙ୍କ ମାଓ ଦମନ ଡେଡ୍ ଲାଇନ୍ ଶେଷ ହେବା ପରେ ବି ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ବୁଧବାର ସକାଳୁ ସରଣ୍ଡା ଜଙ୍ଗଲରେ ହୋଇଛି ଗୁଳି ଏବଂ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ସୁରକ୍ଷାବାହିନୀ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୪ରୁ ୫ ଜଣ ଆହତ ହୋଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି ହୋଇଛି । ମାଓବାଦୀଙ୍କ ଗୁଳିରେ ୫ ଜଣ କୋବ୍ରା ଯବାନ ମଧ୍ଯ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାଞ୍ଚି ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଛି । ଆହତ ଯବାନଙ୍କ ମଧ୍ୟରେ ଅଛନ୍ତି ଜିତେନ୍ଦ୍ର କୁମାର, ଶୈଳଶ କୁମାର, ଉତ୍ତମ ସେନାପତି, ଜଣେ ଇନସ୍ପେକ୍ଟର ରହିଛନ୍ତି । ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ପ୍ରାୟ ୧୫ ମାଓବାଦୀ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବା ସୁରକ୍ଷାବାହିନୀକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଝାଡ଼ଖଣ୍ଡ ପୋଲିସ, ସିଆରପିଏଫର ୨୦୫ ବାଟାଲିଅନ୍, ଝାଡ଼ଖଣ୍ଡ ଜାଗୁଆର୍ ଏବଂ କୋବ୍ରା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ପ୍ରବଳ ଗୁଳି ବିନିମୟ ହେବା ସହିତ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମଧ୍ୟ କରିଥିଲେ । ଗୁଳି ବିନିମୟ ସମୟରେ ୩ ଜଣ ମାଓବାଦୀ ଟଳି ଥିବାର ସୂଚନା ମିଳିଛି । ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।













