ରାୟଗଡା କସ୍ତୁରୀନଗରରେ ବାସ କରୁଥିବା ଦିବ୍ୟାଙ୍ଗ ଝିଅ ବାସନ୍ତୀ ପାଢୀ. ପିଲାଟି ବେଳୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚଲାବୁଲା କରିପାରୁନାହାନ୍ତି. ଗୋଡହାତ ସଂପୂର୍ଣ୍ଣରୂପେ ଅଚଳ ହୋଇପଡିଥିବା ବେଳେ ବାପ ଛେଉଣ୍ଡ ଦିବ୍ୟାଙ୍ଗ ଝିଅର ଆଖିରେ ଅଛି ଅସୁମାରି ସ୍ୱପ୍ନ. ପରିବାର କହିଲେ ମା-ଝିଅଙ୍କୁ ବୁଝାଏ.  ମା କମଳା ପାଢୀ ଘର ଘର ବୁଲି କାମ କରନ୍ତି. ସେଥିରୁ ଯାହା ରୋଜଗାର ହୁଏ ମା ଝିଅ ଚଳିଯାଆନ୍ତି. ତେବେ ଝିଅର ଚିକିତ୍ସା ପାଇଁ ମା କମଳା  ଚାହୁଁଥିଲେ ମଧ୍ୟ ଏଥିପାଇଁ ବାଧକ ସାଜିଛି ଅର୍ଥ.

22 ବର୍ଷର ଦିବ୍ୟାଙ୍ଗ ଝିଅ ବାସନ୍ତୀ ଆଖିରେ ପାଠକୁ ନେଇ ଅଛି ଅନେକ ସ୍ୱପ୍ନ. ଇଚ୍ଛା ଥିଲେ ମଧ୍ୟ ରୋଗରେ ପୀଡିତ ଥିବାରୁ ସ୍କୁଲ ବାରଣ୍ଡା ଛୁଇଁ ପାରିନି ବାସନ୍ତୀ. ଯେଉଁ ବୟସରେ ଖେଳିବା ବୁଲିବା କଥା ସେହି ବୟସରେ ସେ ରୋଗ ସହ ସଂଗ୍ରାମ କରୁଛି. ତେବେ ଝିଅର ରୋଗ ଭଲକରିବା ପାଇଁ ମା କମଳା ରାୟଗଡା ସଦର ମେଡିକାଲରୁ ଆରମ୍ଭ କରି ବିଶାଖାପାଟଣାମ ମଧ୍ୟ ନେଇଛନ୍ତି. ହେଲେ ସବୁଠି ଫଳ ଶୂନ. କାରଣ ଉଚ୍ଚ ଚିକିତ୍ସାରେ ବାଧକ ସାଜୁଛି ଅର୍ଥ.

ବାଲ୍ୟକାଳରୁ ନିଜ ବାପାଙ୍କୁ ହରାଇଥିଲେ ଦିବ୍ୟାଙ୍ଗ ବାସନ୍ତୀ. ବହୁ କଷ୍ଟରେ ମା କମଳା ଦୁଇ ଝିଅଙ୍କ ବିବାହ କରିଥିଲେ ମଧ୍ୟ ଝିଅ ବାସନ୍ତୀ ପାଇଁ ସେ ବହୁତ ଚିନ୍ତାରେ ଅଛନ୍ତି. ସରକାରୀ ସହାୟତା ବାବଦକୁ ତାଙ୍କୁ ମିଳୁଛି କେବଳ ବିଧବା ଭତ୍ତା, ଆଉ ବାସନ୍ତୀଙ୍କୁ ମିଳୁଛି ଭିନ୍ନକ୍ଷମ ଭତ୍ତା. ବାସ୍, ସେତିକିରେ ଅଟକି ରହିଛି ସରକାରୀ ସହାୟତା. ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରାମର୍ଶ କ୍ରମେ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଅନୁଦାନ ଆଣି ଉଚ୍ଚ ଚିକିତ୍ସା କରାଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ.

LEAVE A REPLY

Please enter your comment!
Please enter your name here