ଉତ୍ତରପ୍ରଦେଶ ଏଟିଏସକୁ ଶୁକ୍ରବାର ଏକ ବଡ ସଫଳତା ମିଳିଛି. ଜୈଶ-ଇ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସହାରଣପୁର ଦେବବନ୍ଦରୁ ସେମାନଙ୍କୁ ଗିରଫ କରାଯାଇଥିଲା. ସେମାନେ, ଯୁବକମାନଙ୍କୁ ଜୈଶ-ଇ-ମହମ୍ମଦରେ ଭର୍ତ୍ତି କରିବା କାମ କରୁଥିଲେ. ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ଶାହାନବାଜ ଆହମ୍ମଦ ତେଲି ହୋଇଥିବା ବେଳେ ଅନ୍ୟ ଜଣେ ଆକ୍କିବ ଅହମ୍ମଦ ବୋଲି ଜଣାପଡିଛି. ଉତ୍ତରପ୍ରଦେଶ ଡିଜିପି ଓ.ପି ସିଂ କହିଛନ୍ତି ଯେ, ଶାହାନବାଜ, ଜୈଶ-ଇ-ମହମ୍ମଦରେ ଜଣେ ଆକ୍ଟିଭ ସଦସ୍ୟ ରୂପେ କାମ କରୁଥିଲା. ଏହାଛଡା ସେମାନଙ୍କ ନିକଟରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି. ଶୁକ୍ରବାର ଏମାନଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି. ଅହମ୍ମଦ କଶ୍ମୀର କୁଲଗାମର ହୋଇଥିବା ବେଳେ ଆକ୍କିବ ପୁଲୱାମାର ବୋଲି ଜଣାପଡିଛି. ଲୋକଙ୍କ ବ୍ରେନୱାସ କରି ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରାଇବା ସେମାନଙ୍କ କାମ ଥିଲା.  ଏ ନେଇ ୟୁପି ପୋଲିସ ଜମ୍ମୁ କଶ୍ମୀର ପୋଲିସ ସହ ଯୋଗାଯୋଗ ରଖିଥିବା ବେଳେ ଏମାନଙ୍କର ଅନ୍ୟ ସାଥୀମାନଙ୍କୁ ମଧ୍ୟ ପୋଲିସ ଖୋଜୁଛି.

 

LEAVE A REPLY

Please enter your comment!
Please enter your name here