ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ଜଣେ ଯୁବକଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିଛନ୍ତି ମାଓବାଦୀ । ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଅଧୀନ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ଗୋଇଲକେରା ଥାନା ଅଞ୍ଚଳର ରୋୟଗୁଟୁ ଗାଁର ରମେଶ ଚମ୍ପିଆ । ସୂଚନା ଅନୁଯାୟୀ, ରମେଶ ପୂର୍ବରୁ ମାଓବାଦୀଙ୍କ ସହିତ ସାମିଲ ଥିଲେ । ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ରହିବା ପରେ ହିଂସା ଛାଡ଼ି ସେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ । କିନ୍ତୁ ଗତକାଲି ରାତିରେ ଚାରିଜଣ ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ । ରମେଶଙ୍କ ପତ୍ନୀ ବାଧା ଦେବାକୁ ଚେଷ୍ଟା କରିବାକୁ ସେମାନେ ରମେଶଙ୍କର କିଛି କରିବେ ନାହିଁ ବୋଲି କହି ଘରୁ ନେଇଯାଇଥିଲେ । ପରେ ମାଓବାଦୀମାନେ ରମେଶଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ପୋଲିସ ସୂଚନାଦାତା ସନ୍ଦେହରେ ରମେଶକୁ ମାଓବାଦୀମାନେ ହତ୍ୟା କରିଥିବା ପୋଲିସ କହିଛି । ରମେଶଙ୍କ ମୃତ ଦେହକୁ ପୋଲିସ ଜବତ କରିଛି ।












