ମୟୂଭଞ୍ଜର ଜିଲ୍ଲା ବୈଶିଙ୍ଗା ଥାନା ଗଡଦେଉଳିଆ ଛକରେ ଥିବା ଏକ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ୱାର୍ଡେନଙ୍କୁ ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ମମଭାବେ ହାଣିଦେଲେ ଦୁର୍ବୃତ୍ତ , ଫଳରେ ୱାର୍ଡେନଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଗୁରୁତର ଅଛନ୍ତି । କିଏ ଓ କାହିଁକି ଆକ୍ରମଣ କରିଛି ତାହା କିଛି ସ୍ପଷ୍ଟ ହୋଇ ନାହିଁ । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ସନ୍ୟାସୀ ଦାସ ଓ ଆହତ ମହିଳା ହେଲେ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତ ।ବିଦ୍ୟାଳୟର ମାଲିକ ଡଃ ବିଜୟ ରାଉତଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତଙ୍କ ଦେହ ଖରାପ ହେବାରୁ ୱାର୍ଡେନ ସନ୍ୟାସୀ ଦାସ ତାଙ୍କୁ ବାଇକରେ ଏକ ନିକଟସ୍ଥ ଔଷଧାଳୟକୁ ଯାଉଥିଲେ । ବିଦ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ କେହି ଦୁର୍ବୁତ୍ତ ମରଣାନ୍ତ୍ରକ ଆକ୍ରମଣ କରିଥିଲା । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ୱାର୍ଡେନଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here