ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ଥିବା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ‘ନିର୍ମାଣ କୁସୁମ’ ଯୋଜନାର ରାଜ୍ୟସ୍ତରୀୟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜୟଦେବଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଏହି ସମାରୋହର ଶୁଭ ଉଦଘାଟନ କରିଥିଲେ ।
ଏହି ସମାରୋହରେ ଯୋଗଦେଇଥିବା ୫୦୦ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ସରକାରୀ ବୈଷୟିକ ଶିକ୍ଷା (ଆଇ.ଟି.ଆଇ ଏବଂ ଡିପ୍ଲୋମା) ଅନୁଷ୍ଠାନର ଆଇ.ଟି.ଆଇ ଏବଂ ଡିପ୍ଲୋମା ଶିକ୍ଷା ପାଇଁ ଅଧ୍ୟୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ଯୋଜନାରେ ଆଇ.ଟି.ଆଇ ଶିକ୍ଷା ପାଇଁ ସର୍ବାଧିକ ୨୩, ୬୦୦ ଟଙ୍କା ଏବଂ ଡିପ୍ଲୋମା ଶିକ୍ଷା ପାଇଁ ସର୍ବାଧିକ ୨୬,୩୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୦୧୮-୧୯ ଶିକ୍ଷା ବର୍ଷ ନିମନ୍ତେ ୧,୮୭୮ ହିତାଧିକାରୀଙ୍କୁ ୧.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ଶିକ୍ଷାର୍ଥୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି ।
ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସ୍ୱାଭାବିକ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ସହାୟତା ରାଶିକୁ ବର୍ତ୍ତମାନ ପ୍ରଚଳିତ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା ଜନିତ ମୃତୁ୍ୟକାଳୀନ ସହାୟତା ରାଶିକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସେହିପରି ନିର୍ମାଣ ଶ୍ରମିକଙ୍କ କନ୍ୟା ସନ୍ତାନଙ୍କ ଶିକ୍ଷା ନିମନ୍ତେ ଷଷ୍ଠ ଶ୍ରେଣିଠାରୁ ପୋଷ୍ଟ ଗ୍ରାଜୁଏସନ ପାଠ୍ୟକ୍ରମ ପର୍ଯ୍ୟନ୍ତ ପ୍ରତି ସ୍ତରରେ ସହାୟତା ରାଶି ଶତକଡା ୨୦ ପ୍ରତିଶତ ମଧ୍ୟ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଶିକ୍ଷା ନୂଆ ପରିଚୟ ସୃଷ୍ଟି କରିଥାଏ । ଏହି ଯୋଜନା ମାଧ୍ୟମରେ ଶ୍ରମିକ ଭାଇ ଭଉଣୀ ମାନଙ୍କ ପୁଅ ଝିଅଙ୍କର ଶିକ୍ଷାଗତ ଯୋଗ୍ୟତା ସମେତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମୁଖ୍ୟମନ୍ତ୍ରୀ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here