ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀଙ୍କ ପ୍ରେମ ବିବାହରେ ନୂଆ ମୋଡ ସାମ୍ନାକୁ ଆସିଛି । ରାଜେଶଙ୍କ ଝିଅ ସାକ୍ଷୀ ଅଜିତେଶ ନାମକ ଜଣେ ଦଳିତ ଶ୍ରେଣୀର ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ପ୍ରୟାଗରାଜର ରାମ ଜାନକୀ ନାମକ ଏକ ପ୍ରାଚୀନ ମନ୍ଦିରରେ ବିବାହ କରିଥିବା ଦର୍ଶାଇଥିଲେ ଏବଂ ବିବାହର ଏକ ପ୍ରମାଣ ପତ୍ର ବି ରଖିଥିଲେ । କିନ୍ତୁ ଆଜି ସେହି ମନ୍ଦିରର ମହନ୍ତ ପର୍ଶୁରାମ ସିଂ କହିଛନ୍ତି ଯେ ଅଜିତେଶ ଏବଂ ସାକ୍ଷୀଙ୍କ ପାଖରେ ଥିବା ବିବାହର ପ୍ରମାଣ ପତ୍ର ଏକ ମିଥ୍ୟା ପ୍ରମାଣ ପତ୍ର । ମନ୍ଦିରର ମହନ୍ତ ପର୍ଶୁରାମ ସିଂ କହିଛନ୍ତି ଯେ ରାମ ଜାନକୀ ମନ୍ଦିରରେ କେବେ କାହା ବିବାହ କରାଯାଏ ନାହିଁ କିମ୍ବା ଏପରି କୌଣସି ବିବାହ ପ୍ରମାଣ ପତ୍ର ମଧ୍ୟ ନଥାଏ । ମହନ୍ତ ପର୍ଶୁରାମ ସିଂ କହିଛନ୍ତି ଏପରି କରି ମନ୍ଦିରକୁ ବଦନାମ କରାଯାଉଛି ଏଣୁ ଏନେଇ ସେ ଆଇନର ସହାୟତା ନେବେ । ଏଠାରେ ସୂଚନାଯୋଗ୍ୟ ବରେଲି ଜିଲ୍ଲାର ବିଠାର ଚୈନପୁର ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ଜଣେ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଥିବା କାରଣରୁ ସାକ୍ଷୀଙ୍କ ପିତା ରାଜେଶ ସାକ୍ଷୀ ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଅଭିଯୋଗ କରିବା ସହ ପୋଲିସର ସହାୟତା ଲୋଡିଥିଲେ । ଏନେଇ ସାକ୍ଷୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ତାଙ୍କ ଜୀବନ ପ୍ରତି ତାଙ୍କ ବାପାଙ୍କ ଠାରୁ ବିପଦ ରହିଥିବା ସେ ଅଭିଯୋଗ କରିଥିଲେ । ଏବଂ  ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ ବୋଲି ତାଙ୍କ ବାପା ବିଧାୟକ ରାଜେଶ ମିଶ୍ରାଙ୍କୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଥିଲେ ଝିଅ ସାକ୍ଷୀ ।

LEAVE A REPLY

Please enter your comment!
Please enter your name here