ଏବେବି ଜାତିଆଣ ହିଂସାରେ ଜଳୁଛି ବାଂଲାଦେଶ । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ବର୍ଣ୍ଣବୈଷମ ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ, ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ସୁଚନା ଅନୁଯାୟୀ, ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ପେଙ୍ଗବର ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ରାତି ୯ଟାରେ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ଅଧିକାରୀଙ୍କ ଅନୁସାରେ ଉତ୍ତ୍ୟକ୍ତ ଲୋକେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିବା ପରେ ଶବକୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହକୁ ନିଜ କବଜାକୁ ନେଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ୟମନସିଂ ମେଡିକାଲ କଲେଜ ହସ୍ପିଟାଲ୍ ପଠାଇ ଦିଆଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନାହିଁ । । ଆନୁଷ୍ଠାନିକ ଅଭିଯୋଗ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣାକୁ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଘୋର ନିନ୍ଦା କରିଛି । ପାର୍ଟି ବୟାନ ଜାରି କରି କହିଛି ଯେ, ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ସହିତ ଯାହା ଘଟିଲା, ତାହା କେବଳ ଜଣେ ବ୍ୟକ୍ତିଙ୍କ ହତ୍ୟା ନୁହେଁ, ବରଂ ଏହା ହିନ୍ଦୁଙ୍କ ପ୍ରତି ହିଂସାର ଏକ ଉଦାହରଣ ।













