ରାଜ୍ୟରେ ବିଜେପି ସରକାର ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ଗୋଟେ ପରେ ଗୋଟେ ଯୋଜନା ଆଣୁଛି। ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଦେବା ପରେ ଏବେ ମହିଳାଙ୍କୁ କାର୍ କିଣିଦେଇ ସ୍ବାବଲମ୍ବୀ କରିବାକୁ ସରକାର ଯୋଜନା କରୁଛନ୍ତି। ରାଜ୍ୟ ସରକାର ମହିଳାଙ୍କୁ ବିନା ସୁଧରେ କାର୍ ପାଇଁ ଋଣ ଯୋଗାଇ ଦେବେ । ଏଥିପାଇଁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି “ଆତ୍ମନିର୍ଭର ମହିଳା ସୁବାହକ ଯୋଜନା” ବା “ଆମ ସୁବାହକ”। ମୋହନ ସରକାର ‘ଆମ ସୁବାହକ’ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏଥିପାଇଁ ମହିଳାଙ୍କ ବୟସ ୨୧ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତାଲିମ ବେଳେ ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ । ଏଥିପାଇଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ହୋଇଥିବା ଉଚିତ । ସେହିପରି ଉକ୍ତ କାରକୁ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ଟାକ୍ସି ଭାବରେ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ଓଏସ୍ଆରଟିସି/କ୍ରୁଟ୍ ବସ୍ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସୁଭଦ୍ରା ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯିବ ।
ଗାଡ଼ି ଚାଳନାରେ ଲିଙ୍ଗଗତ ପାର୍ଥକ୍ୟକୁ ଦୂର କରି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଏହି ଯୋଜନାର ଉଦ୍ଦେଶ୍ୟ ରହିଛି । ସରକାର ମହିଳାମାନଙ୍କ ଆୟ ବଢ଼ାଇବାକୁ ସେମାନଙ୍କୁ ଚାରି ଚକିଆ ଯାନ ଯୋଗାଇ ଦେବେ । ଚାରି ବର୍ଷରେ ୧୧୦୦ ମହିଳାଙ୍କୁ କାର୍ ପାଇଁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି । ପ୍ରଥମ ବର୍ଷରେ ୨୦୦, ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଏବଂ ଚତୁର୍ଥ ବର୍ଷରେ ୩୫୦ ଜଣ ମହିଳା କାର୍ କିଣିବାକୁ ସୁଯୋଗ ପାଇବେ । ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ମିଳିବ । ବାର୍ଷିକ ୧୧ ପ୍ରତିଶତ ହାର କିସ୍ତିରେ ୫ ବର୍ଷରେ ଏହି ଋଣ ପରିଶୋଧ କରିବେ । ଏଥିପାଇଁ ମହିଳାଙ୍କୁ ମାଗଣାରେ ରାଜ୍ୟ ସଡ଼କ ସୁରକ୍ଷା ଏବଂ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ତାଲିମ୍ ଦିଆଯିବ । ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକଲ୍ ନୀତି ଅନୁଯାୟୀ ଇଲେକ୍ଟ୍ରିକ୍ ଟ୍ୟାକ୍ସି ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କାର କ୍ରୟ ପ୍ରୋତ୍ସାହନ, ରାସ୍ତା ଟିକସ ଏବଂ ପଞ୍ଜିକରଣ ପାଇଁ କୌଣସି ଫି ଦେବାକୁ ପଡ଼ିବ ନାହିଁ।














