ବୋଲଗଡ ବାପପୁଅଙ୍କୁ କିଛି ଯୁବକ ଅମାନୁଷିକ ଭାବେ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ ଖୋଲୁଛି ମାନବବାଦ ସଂଗଠନର ସୁପ୍ରିମୋଙ୍କ ପଲିଟିକାଲ୍ ଲିଙ୍କ । କିଛି ଯୁବକଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସିଧାସଳଖ ଅଭିଯୋଗ କରିଛନ୍ତି, ମାଡ ମାରିଥିବା ଯୁବକମାନେ ହେଉଛନ୍ତି ମାନବବାଦ ସଂଗଠନର କର୍ମୀ । ସେମାନେ ମାନବବାଦ ସଂଗଠନରେ ସାମିଲ ହେବା ପାଇଁ ବାଧ୍ୟ କରୁଥିଲେ, ମାତ୍ର ସେମାନେ ମନା କରିବାରୁ ଏଭଳି ଆକ୍ରମଣର ଶୀକାର ହୋଇଛନ୍ତି । ଅନ୍ୟପକ୍ଷରେ ମାନବବାଦ ସଂଗଠନର ସୁପ୍ରିମୋ ମାନସ ଦାସଙ୍କ କାରନାମାର ଭିଡିଓ ଏବେ ପଦାକୁ ଆସୁଛି । ମାନସ ଦାସଙ୍କ ପଛରେ ଶାସକ ବିଜେଡି ଦଳର ବହୁ ଟାଣୁଆ ନେତାଙ୍କ ଆଶୀର୍ବାଦ ଥିବା ଏବେ ଚର୍ଚ୍ଚା ହେଉଛି । କୋଉଠି ମାନସ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଉଛି ତ ଆଉ କେଉଁ ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଲତୋଡା ଦେଇ ମଞ୍ଚ ଉପରେ ବାହା-ବା ନେଉଛନ୍ତି ମାନସ । ବିଜେଡିର ମିଶ୍ରଣ ପର୍ବରେ ମାନସ ଦାସ । ଏପରିକି ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ପବ୍ଲିକ ମିଟିଂରେ ଯେଉଁଭଳି ଭାଷାରେ ମାନସଙ୍କ ପ୍ରଶଂସା କରୁଛନ୍ତି, ସେଥିରୁ ମାନସଙ୍କ ଉପରେ ଶାସକ ଦଳ ନେତାଙ୍କ ଆଶୀର୍ବାଦ ସ୍ପଷ୍ଟ ହେଉଛି ।

ଗୋଟିଏ ଭିଡିଓରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ମାନସଙ୍କୁ ମୁଣ୍ଡିଆ ମାରିବା ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ମାନବବାଦ ସଂଗଠନର ମୁଖ୍ୟ ମାନସଙ୍କ କାରନାମା ଧରାପଡିବା ପରେ ଶାସକ ଦଳ ନେତାମାନେ ଲିଙ୍କ୍ କାଟିବା ଆରମ୍ଭ କରିଛନ୍ତି । ନିର୍ବାଚନ ବେଳେ ବହୁ ଲୋକ ଆସନ୍ତି, ଯାଆନ୍ତି, କିଏ କାହାକୁ ମନେ ରଖିଛି ବୋଲି କହିଛନ୍ତି ବିଜେଡିର ଏହି ଆଗଧାଡିର ନେତାମାନେ ।

LEAVE A REPLY

Please enter your comment!
Please enter your name here