ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ନିର୍ବାଚନରେ ଚେକ୍ ଦେବ ‘ଇଣ୍ଡିଆ’ – ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ । ଆଜି ବେଙ୍ଗାଲୁରରେ ଏକାଠି ହୋଇଥିବା ବିରୋଧୀ 2024 ସାଧାରଣ ନିର୍ବାଚନ ପାଇଁ ମହାମେଣ୍ଟ ଗଠନ କରିଛନ୍ତି, ଯାହାର ନାଁ ଦେଇଛନ୍ତି I.N.D.I.A । ଏହି ମହାମେଣ୍ଟରେ ସାମିଲ ହୋଇଛନ୍ତି 26ଟି ବିରୋଧ ଦଳ । ରାହୁଲ ଗାନ୍ଧି କହିଛନ୍ତି, ଆସନ୍ତା ନିର୍ବାଚନ ହେବ – ମୋଦି ବନାମ ଇଣ୍ଡିଆ । ବିରୋଧୀଙ୍କ ମହାମେଣ୍ଟର ନାଁ I.N.D.I.A ରଖିବା ପାଇଁ ରାହୁଲ ପ୍ରସ୍ତାବ ଦେଇଥିଲେ । ରାହୁଲଙ୍କ ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିଲେ ।
ରାହୁଲ କହିଛନ୍ତି, ବିରୋଧୀଙ୍କ ମହାମେଣ୍ଟ I.N.D.I.A ଦେଶର ସମ୍ବିଧାନର ସୁରକ୍ଷା ପାଇଁ କାର୍ଯ୍ୟ କରିବ ଏବଂ ଭାରତୀୟଙ୍କ ସ୍ବର ହେବ । ଭାରତୀୟଙ୍କ ସ୍ବରକୁ ଚପାଇ ଦିଆଯାଉଛି । ତେଣୁ ଭାରତୀୟଙ୍କ ସ୍ବାର୍ଥ ରକ୍ଷା ପାଇଁ I.N.D.I.A ଲଢେଇ କରିବ ଏବଂ ବିଜୟ ଲାଭ କରିବ । ଏଣିକି ଦେଶରେ ଲଢେଇ ଦୁଇଟି ବିଚାରଧାରା ମଧ୍ୟରେ ହେବ । ମୋଦୀ ଏବଂ ଏନଡିଏ ବିରୋଧରେ ଲଢେଇ କରିବ ଇଣ୍ଡିଆ ।
ତେବେ ବିରୋଧୀଙ୍କ ମହାମେଣ୍ଟର ନାଁ କଣ ରହିବ, ତାକୁ ନେଇ ଦୀର୍ଘ ସମୟ ବିଚାର ବିମର୍ଷ ଚାଲିଥିଲା । ବାମପନ୍ଥୀ ଦଳ ଚାହୁଁଥିଲେ ‘ଆଲିଆନ୍ସ’ ଶବ୍ଦ ବଦଳରେ ‘ଫ୍ରଣ୍ଟ’ ବ୍ୟବହାର କରାଯାଉ । ସେହିପରି ଏମିତି ଏକ ଶବ୍ଦ ଦିଆଯାଉ, ଯେଉଁଥିରେ N D A ନ ଥିବ, ବୋଲି କେହି କେହି ମତ ଦେଇଥିଲେ । ମାତ୍ର ବହୁ ବିଚାର ବିମର୍ଷ ପରେ ରାହୁଲ ଗାନ୍ଧି I.N.D.I.A ରଖିବାକୁ ପ୍ରସ୍ତାବ ଦେଇଥିଲେ । ନୀତିଶ କୁମାର ପ୍ରଥମରୁ ରାଜି ହୋଇ ନ ଥିଲେ ପରେ ସମ୍ମତି ଦେଇଥିଲେ । ଶେଷରେ ରାହୁଲଙ୍କ ପ୍ରସ୍ତାବରେ ସର୍ବସମ୍ମତକ୍ରମେ ମୋହର ମରାଯାଇଥିଲା । ଏନସିପି ନେତା ଜିତେନ୍ଦ୍ର ଆହ୍ବାଦ ରାହୁଲଙ୍କ ସୃଜନାତ୍ମକ ଜ୍ଞାନକୁ ପ୍ରଶଂସା କରି ଟ୍ବିଟ୍ କରିଛନ୍ତି । ଅଧିବେସନ ଶେଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ବିଜେପି ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଁଛି । ଦେଶର ସ୍ବଂୟଶାସିତ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡି, ଭିଜିଲାନ୍ସ ସଂସ୍ଥାକୁ ବିରୋଧୀ ଦଳ ନେତା ଓ କର୍ମୀଙ୍କ ବିରୋଧରେ ବ୍ୟବହାର କରୁଛି । ଦେଶ ଏକ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ଏବଂ ଦେଶକୁ ଏଭଳି ସଂକଟରୁ ବଞ୍ଚାଇବା ଆମର ଦାୟିତ୍ବ ବୋଲି ସେ କହିଛନ୍ତି ।
ଇଣ୍ଡିଆର ପରବର୍ତ୍ତି ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ ଏବଂ ମୁମ୍ବାଇ ବୈଠକରେ ଏଗାର ଜଣିଆ କମିଟି ନାଁ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here