ଭୁବନେଶ୍ବର : ଓ୍ଵାର୍ଲ୍ଡ ଚାରିଟି ଓ୍ଵେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ (କେନ୍ଦ୍ର ସରକାରଙ୍କ ଦ୍ୱାରା ସରକାରୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ) ତରଫରୁ ଜାତୀୟ ସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଭାରତର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକରେ ଜନ୍ମିତ ତଥା ବର୍ତ୍ତମାନ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ବିଭାଗର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଶ୍ରୀମାନ୍ ସତ୍ୟବ୍ରତ ଜେନା ଜାତୀୟ ସ୍ତରରେ ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ -୨୦୨୪ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏଥିପାଇଁ ତାଙ୍କୁ ନୂଆଦିଲ୍ଲୀରୁ ମେଲ୍ ଜରିଆରେ Selection Confirmation & Invitation Letter ଆସିଥିଲା। ଓ୍ଵାର୍ଲ୍ଡ ଚାରିଟି ଓ୍ଵେଲଫେୟାର ଫାଉଣ୍ଡେସନ ତରଫରୁ ଜୁନ୍ ୨୯ ତାରିଖ ସକାଳ ୧୦ଟାରେ କଟକ ସ୍ଥିତ ଶତାବ୍ଦୀ ଭବନଠାରେ ବିଶ୍ଵ ସ୍ବେଚ୍ଛାସେବୀ ଅନୁଷ୍ଠାନର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚାସୀନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ତାମିଲନାଡୁ ବୈଦିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର କାନୁନଗୋ ଓ ଅନ୍ୟାନ୍ୟ ଅତିଥିଙ୍କ ଗହଣରୁ ବାଲେଶ୍ଵର ଜିଲ୍ଲାର ଉଦୀୟମାନ ଯୁବ ପ୍ରତିଭା, ସିଦ୍ଧାର୍ଥ ଟିଭିର ଆଗଧାଡିର କଣ୍ଠଶିଳ୍ପୀ ତଥା ବର୍ତ୍ତମାନ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଅଧ୍ୟୟନରତ ଛାତ୍ର ଶ୍ରୀମାନ୍ ସତ୍ୟବ୍ରତ ଜେନାଙ୍କୁ ନିଜର ଉଚ୍ଚକୋଟୀର ପ୍ରତିଭା ତଥା ସଂଗୀତ ଜଗତରେ ଏକ ଉଜ୍ଜଳମୟ ତାରକା ତଥା ନିଜର କୃତିତ୍ଵର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜାତୀୟ ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ ୨୦୨୪ରେ ସମ୍ବର୍ଦ୍ଧିତ କରାଯାଇଛି।

ପିତା ଗଣେଶ୍ୱର ଜେନା ଏବଂ ମାତା କାଞ୍ଚନ ଜେନାଙ୍କ କୋଳମଣ୍ଡନ କରି ମାତ୍ର ୧୯ ବର୍ଷ ବୟସରୁ ଜଣେ ମେଧାବୀ ଛାତ୍ର ସହିତ ଚମତ୍କାର ପ୍ରତିଭାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଅଜସ୍ର ସଫଳତା ସାଉଁଟି ପାରିଛନ୍ତି। ସତ୍ୟବ୍ରତ ରାଜ୍ୟସ୍ତରୀୟ ସ୍କାଉଟ ରେ ନିଜର ଦକ୍ଷତା ପରିଦର୍ଶନ କରି ଓଡ଼ିଶାର ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି, ସେହିପରି “ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ସାରା ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କୁ ଠାରୁ ପୁରସ୍କୃତ ପୁଣି ସିଦ୍ଧାର୍ଥ ଟିଭି ଚ୍ୟାନେଲ ରିୟେଲିଟି ସୋ “ଓଡ଼ିଶାର ନୂଆ ସ୍ଵର” ଏବଂ ସିଦ୍ଧାର୍ଥ ଭକ୍ତି ଚ୍ୟାନେଲ ପ୍ରସାରିତ “ଭକ୍ତି ଆଖଡ଼ା” କାର୍ଯ୍ୟକ୍ରମରେ ଗ୍ରାଣ୍ଡ ଫାଇନାଲରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।
ସେ ତାଙ୍କର ଏହି ସଫଳତାର ଶ୍ରେୟ ନିଜର କଠିନ ପରିଶ୍ରମ, ବାପା, ମା, ଗୁରୁଜନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ନିଜର ପରମ ସୈାଭାଗ୍ୟ ବଳରେ ସମ୍ଭବପର ହୋଇଛି ବୋଲି କହିଛନ୍ତି। ଶେଷରେ ଓଡ଼ିଶାରେ ଜନ୍ମିତ ହୋଇ ନିଜକୁ ଗର୍ବିତ ତଥା ଧନ୍ୟ ମନେକରିବା ସହିତ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ଏବଂ ସମଗ୍ର ବିଶ୍ଵସ୍ତରରେ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଓଡ଼ିଶାର ନାମକୁ ଗୈାରବାନ୍ଵିତ୍ୟ କରିବା ପାଇଁଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ପ୍ରଶଂସକଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିବା ସହିତ ଅନେକ ଶୁଭେଚ୍ଛାର ବାର୍ତ୍ତା ମିଳିଛି । ବିଜେବି କଲେଜ ଅଧ୍ୟକ୍ଷା ପ୍ରଫେସର ଈତିଶ୍ରୀ ପାଢ଼ୀ ତାଙ୍କର ଉଜ୍ଜଳମୟ ଭବିଷ୍ୟତ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here