ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ ଫିଟ୍‌ନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। ଯୁବରାଜ ସିଂହ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୭ ଜୁନ୍ ୩୦ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ସେହିଭଳି ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ୨୦୧୭ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଗତ ଦୁଇ ବର୍ଷରେ ଭାରତ ପାଇଁ କୌଣସି ଫର୍ମାଟ୍‌ରେ ମ୍ୟାଚ୍ ଖେଳି ନଥିଲେ ଯୁବି । ଖରାପ ଫର୍ମ ଓ ଫିଟ୍‌ନେସ୍ ଯୋଗୁ ତାଙ୍କୁ ଦଳରେ ନିଆ ଯାଉ ନଥିଲା। ୨୦୦୩ରୁ ୨୦୧୭ ମଧ୍ୟରେ ଯୁବରାଜ ଭାରତ ପାଇଁ ୪୦ଟି ଟେଷ୍ଟ୍‌, ୩୦୪ଟି ଦିନିକିଆ ଓ ୫୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୦୭ରେ ଖେଳା ଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ ହୋଇଥିଲା। ଆଉ ଏଥିରେ ତାଙ୍କର ବଡ଼ ଭୂମିକା ଥିଲା। ଏଥିରେ ସେ ଏକ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରୋଡ୍‌ଙ୍କ ଏକ ଓଭରରେ ୬ଟି ବଲ୍‌ରେ ୬ଟି ଛକ୍କା ମାରିଥିଲେ। ଯୁବରାଜ ସିଂହ ୨୦୧୧ ବିଶ୍ୱକପ୍‌ରେ ସେ ୪ ଥର ମ୍ୟାନ୍‌ ଅଫ୍ ଦ ମ୍ୟଚ୍ ହେବା ସହିତ ପ୍ଲେୟର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ। ସେ ୩୬୨ ରନ୍ କରିବା ସହିତ ୧୫ଟି ୱିକେଟ୍ ନେଇଥିଲେ। ୨୦୧୪ରେ ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ଆଇପିଏଲ୍‌ ପାଇଁ ୧୪ କୋଟି ଟଙ୍କା ଦେଇ କିଣିଥିଲା। ୨୦୧୬ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ତାଙ୍କୁ ୭ କୋଟିରେ କିଣିଥିଲା।୨୦୧୨ରେ ଭାରତ ସରକାର ତାଙ୍କୁ ଅର୍ଜୁନ୍ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୧୪ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here