ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ବି ବଦଳିନି ବେଶଭୂଷା । ବଦଳିନି ନିଜ ଦୈନନ୍ଦିନ ଜୀବନର ଚାଲିଚଳଣ । ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥିବା  ଏମଏସଏମଇ ଏବଂ ମତ୍ସ୍୍ୟ ଓ ପଶୁସଂପଦ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯେ ଅନ୍ୟ ରାଜନେତାମାନଙ୍କ ଠାରୁ ଅଲଗା, ତାହା ତାଙ୍କ କାମ କରିବାର ନିଆରା ଢଙ୍ଗ ହିଁ ପ୍ରମାଣିତ କରିସାରିଛି । କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ସେ ଯେମିତି ଥିଲେ, ଏବେ ବି ସେମିତି ଅଛନ୍ତି । ଖଣ୍ଡେ ଧୋତି ଓ ଗାମୁଛା ପିନ୍ଧି ନିଜ ଗାଁ ପୋଖରୀରେ ଗାଧେଇବା, ଝାଡୁ ଧରି ଠାକୁର ମନ୍ଦିର ଓଳାଇବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସାଙ୍ଗେ ଜଣେ ସାଧାରଣ ଲୋକ ଭଳି ମିଶିବା ଷଡଙ୍ଗୀ ଭାଇନାଙ୍କ ମହନୀୟତାକୁ ଆହୁରି ବଢାଇ ଦେଇଛି ।  ଅନ୍ୟ ରାଜନେତାଙ୍କ ଭଳି କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରତାପ ଷଡଙ୍ଗୀ କୌଣସି ଗେଷ୍ଟହାଉସ କି କୌଣସି ନାମିଦାମୀ ହୋଟେଲରେ ରହି ପାରିଥାନ୍ତେ ।  ମାତ୍ର ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଷଡଙ୍ଗୀ ସିଧା ଗଲେ ତାଙ୍କ ଗାଁକୁ । ଗାଁର ଚାଳଛପର ଘର, ଗାଁ ପୋଖରୀ ଓ ଗାଁ ମନ୍ଦିର, ଯୋଉଠୁ ସେ ତାଙ୍କ ରାଜନୀତିର ମୂଳଦୁଆ ପକାଇଥିଲେ, ତାକୁ ସେ ଭୁଲିଥାନ୍ତେ ବା କେମିତି । କେନ୍ଦ୍ରମନ୍ତ୍ରୀ ହେବା ପରେ ବି ସେ କାହା ପାଇଁ ଭାଇନା, କାହା ପାଇଁ ନନା । ସବୁବେଳେ ଧଳା ଧୋତି ପଞ୍ଜାବୀ ପିନ୍ଧୁଥିବା ଶ୍ମସ୍ରୁଧାରୀ ପ୍ରତାପ ଭାଇନା କେନ୍ଦ୍ରମନ୍ତ୍ରୀ ହେବା ପରେ ବି ସେମିତି ଅଛନ୍ତି । କିଏ ପାଦ ଛୁଇଁ ମୁଣ୍ଡିଆ ମାରୁଛି ତ ଆଉ କିଏ ଖୁସିରେ କୁଣ୍ଢେଇ ପକାଉଛି । ପ୍ରତାପ ଷଡଙ୍ଗୀ ବିନମ୍ରତାର ସହ ମୁଣ୍ଡ ନୁଆଁଇ ସବୁ ଗ୍ରହଣ କରୁଛନ୍ତି ।  କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ  ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରତାପ ଷଡଙ୍ଗୀ ।  ବାଲେଶ୍ୱରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଦିଆଯାଇଥିଲା । ଏକ ଖୋଲାଜିପରେ ବିଶାଳ ପଟୁଆରରେ ତାଙ୍କୁ ପାଛୋଟି ନେଇଥିଲେ ଷଡଙ୍ଗୀ ଭାଇନାଙ୍କ ସମର୍ଥକମାନେ । ବାଲିଗୋହିରୀରେ ଗୁରୁ ତ୍ରିଲୋଚନ ସାହୁଙ୍କ ପାଖକୁ ଯାଇ ଆଶୀର୍ବାଦ ଭିକ୍ଷା କରିବାକୁ ଭୁଲି ନଥିଲେ ସେ ।

LEAVE A REPLY

Please enter your comment!
Please enter your name here