ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ସିନେମା ଜଗତର ବିଭିନ୍ନ ଭାଷା ଓ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉତ୍କୃଷ୍ଟ କାର୍ଯ୍ୟକୁ ଏହି ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ୧ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଦ୍ୱାରା ପ୍ରମାଣିତ ହୋଇଥିବା ସିନେମାଗୁଡ଼ିକୁ ପୁରସ୍କାର ପାଇଁ ବିଚାରକୁ ନିଆଯାଇଥିଲା। ଏହି ତାଲିକାରେ ଓଡ଼ିଆ ଫିଲ୍ମ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି । ଯାହାକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଛନ୍ତି । ଏଥିରେ ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି । ଲହରୀ’ ଏକ ଭିନ୍ନ ଧାରାର, ମୌଳିକ କାହାଣୀଭିତ୍ତିକ ଓଡ଼ିଆ ସିନେମା, ଯାହା ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ନୂଆ ପରିଚୟ ଦେଇଛି। ଜାତୀୟ ସ୍ତରରେ ଓଡ଼ିଆ ସିନେମା ପାଇଁ ଏହା ଏକ ଗୌରବମୟ ସଫଳତା।









