ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିଜେଡି ବିଧାୟକମାନେ ହୋହଲ୍ଲା କରିଥିବା ବେଳେ, MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ବିଧାୟକମାନେ ମଧ୍ୟ ପ୍ରତିବାଦ କରିଛନ୍ତି। ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାରେ ବାଧା ଉପୁଜିଥିଲା। ପରିସ୍ଥିତିକୁ ଦେଖି ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ୧ଟା ୧୦ରେ ଗୃହ ପୁଣି ବସିବା ପରେ ମଧ୍ୟ ପରିସ୍ଥିତି ବଦଳିନଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧ ମିନିଟ୍ ପରେ କଂଗ୍ରେସ ସଦସ୍ୟମାନେ ପୁଣି ହୋହଲ୍ଲା ଆରମ୍ଭ କରିଥିଲେ। MMDR ବିଲ୍ ପ୍ରତ୍ୟାହାର ଦାବିରେ ସେମାନେ ପ୍ରତିବାଦ ଜାରି ରଖିଥିଲେ। ଫଳରେ ପୁଣି ଥରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଲଗାତାର ଦୁଇଥର ମୁଲତବୀ ହୋଇଛି। ଗୋଟିଏ ପଟେ ସ୍କୁଲ ପାଠ୍ୟପୁସ୍ତକର ତ୍ରୁଟିକୁ ନେଇ ବିଜେଡି ପ୍ରତିବାଦ କରୁଥିବା ବେଳେ, ଅନ୍ୟପଟେ MMDR ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସର ଆନ୍ଦୋଳନ ଜାରି ରହିଛି।












