ପାଟନା: ବିହାରର ବୈଶଳୀ ଜିଲ୍ଲାନ୍ତର୍ଗତ ହାଜିପୁରର ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ କିଛି ଛୋଟ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଏବେ ବି ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ରାମପୁର ଶ୍ୟାମଚାନ୍ଦ ଗାଁ ନିକଟରେ ଗଙ୍ଗା ନଦୀରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କିଛି ଲୋକ ଏକ ଭୋଜିରେ ସାମିଲ ହେବା ପାଇଁ ଏକ ଡଙ୍ଗାରେ ନିକଟସ୍ଥ ଏକ ଗାଁକୁ ଯାଇଥିଲେ । ସେମାନେ ଫେରିବା ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାରେ ପ୍ରାୟ ୧୫ରୁ ୨୦ ଜଣ ଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନିକଟସ୍ଥ ଗ୍ରାମବାସୀମାନେ ଘଟଣାସ୍ଥଳରେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ବୈଶାଳୀ ଜିଲ୍ଲା ଜିଲ୍ଲାପାଳ ବର୍ଷା ସିଂହ ଏବଂ ଏସ୍ଏସ୍ପି ଶୁଭାଙ୍କ ମିଶ୍ର, ଅନ୍ୟ ପୋଲିସ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ନଦୀରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ପଠାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଦୁର୍ଘଟଣା ଏବଂ ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।










