ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଭିକେ. ପାଣ୍ଡିଆନ୍ ଓ ଆଇପିଏସ୍ ଅଫିସର ରବିକାନ୍ତଙ୍କ ବିଦେଶ ଗସ୍ତ ଖର୍ଚ୍ଚ ସମ୍ପର୍କିତ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପାଣ୍ଡିଆନ ଓ ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କିତ ଖର୍ଚ୍ଚର ତଦନ୍ତ କରାଯିବ । ଏହି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ପାଣ୍ଡିଆନ୍ ଓ ଆଇପିଏସ୍ ଶ୍ରୀ ରବିକାନ୍ତ ୨୦୨୨-୨୩ ଓ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ବିଭିନ୍ନ ଆରଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଥିବାରୁ ତଥ୍ୟଗୁଡ଼ିକର ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଥିଲା। ଏହି ସମସ୍ତ ଅଭିଯୋଗକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।












