ବିମୁଦ୍ରାକରଣକୁ ପୁରିଗଲା ଦୁଇବର୍ଷ. ହେଲେ ଫେରିଲାନି କଳାଟଙ୍କା. ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ । ଦୁର୍ନୀତି ଓ କଳାଟଙ୍କା ବିରୋଧରେ ଏହା ଏକ ଲଢେଇ ବୋଲି ମୋଦୀ କହିଲେ । ସେହିଦିନ ମଧ୍ୟ ରାତ୍ର ୧୨ଟା ପରେ ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା । ମୋଦୀଙ୍କ ଏହି ଘୋଷଣା ସାରାଦେଶରେ ଲୋକଙ୍କ ନିଦ ହଜାଇ ଦେଇଥିଲା । ଅବଶ୍ୟ କିଛି ମହଲତ ମଧ୍ୟରେ ଏହି ନୋଟ ସବୁକୁ ବଦଳାଇବା ପାଇଁ ବ୍ୟବସ୍ଥା ରହିଲା । ବ୍ୟାଙ୍କ୍‌ରେ ଲମ୍ବା ଲାଇନ୍‌ ଲାଗିଲା । ଏଟିଏମରୁ ଟଙ୍କା ଉଠାଇବା ପାଇଁ ଧାଡିରେ ଛିଡା ହେବାକୁ ପଡିଲା । ଟଙ୍କା ପାଇଁ ଛିଡା ହୋଇ ଅସହ୍ୟ ଖରାରେ କିଛି ଗ୍ରାହକ ବେହୋସ ହେବା ଘଟଣା ମଧ୍ୟ ସାମ୍ନାକୁ ଆସିଲା । କେଉଁଠି ଟଙ୍କା ପାଇଁ ଝିଅ ବାହାଘର ଭାଙ୍ଗିଲା ତ କେଉଁଠି ଚିକିତ୍ସା ପାଇଁ ଟଙ୍କା ଦେଇ ନ ପାରିବାରୁ ରୋଗୀ ମୃତ୍ୟୁ ଘଟିଲା । ନୋଟବନ୍ଦୀ ଯୋଗୁଁ ଦେଶର ବିଭିନ୍ନ ଯାଗାରୁ ଏମିତି ଅନେକ ମାମଲା ସାମ୍ନାକୁ ଆସିଲା । ନିଜ ବ୍ୟାଙ୍କ୍‌ ଖାତା ଉପରେ ନିଜ ନିୟନ୍ତ୍ରଣ ରହିଲାନି। କେତେ ଟଙ୍କା ଉଠାଇ ହେବ ତାହା ନିଷ୍ପତ୍ତି ନେଲେ ରିଜର୍ଭ ବ୍ୟାଙ୍କ୍‌ ଓ ସରକାର । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା । ଦେଶରୁ କଳାଧନ ହଟାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ସଫେଇ ଦେଲେ । କିନ୍ତୁ ନୋଟବନ୍ଦୀ ପରେ ମାତ୍ର ୧ ପ୍ରତିଶତ କଳାଧନ ଦେଶକୁ ଫେରିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ବିମୁଦ୍ରାକରଣ ଦ୍ୱାରା କ’ଣ ଲାଭ ହୋଇଛି ଓ କ’ଣ କ୍ଷତି ହୋଇଛି ତାହା ଏବେବି ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ହୋଇ ରହିଛି ।

    ନୋଟବନ୍ଦୀକୁ ନେଇ ବିରୋଧି ପିଏମ୍ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତି ଥିଲା ଏବଂ ଏହାର ପରିଣାମ ଆଜି ପର୍ଯ୍ୟନ୍ତ ଦେଶର ଜନତା ଭୋଗୁଛନ୍ତି । ଅନ୍ୟପଟେ ମୋଦିଙ୍କ ସହିତ ପ୍ରଥମରୁ ଶତ୍ରୁତା ରଖିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋଦିଙ୍କୁ ଆକ୍ଷେପ କରିଛନ୍ତି । ନୋଟବନ୍ଦୀ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ବୋଲି କହିଛନ୍ତି କେଜ୍ରିୱାଲ ।

LEAVE A REPLY

Please enter your comment!
Please enter your name here