ଭୁବନେଶ୍ୱର:ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ (ଓଆରଟିପିଏସଏ) ଅଧୀନରେ ଥିବା ସମସ୍ତ ସୂଚିତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ନିମନ୍ତେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଯୁଗାନ୍ତକାରୀ ‘ଅଟୋ-ଅପିଲ୍ ସିଷ୍ଟମ୍‌’ (ଏଏଏସ୍‌) ଲାଗୁ କରାଯାଇଛି। ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେଶ ବଶିଷ୍ଠ ସୋମବାର ବିସ୍ତୃତ ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) ଜାରି କରି ସବୁ ବିଭାଗୀୟ ସଚିବଙ୍କୁ ଅବଗତ କରିଛନ୍ତି।ଏହି ନୂଆ ଏସଓପି ଅନୁସାରେ, ଓଡ଼ିଶା ଜନସେବାରେ ସାମିଲ ହୋଇଥିବା ସେବା ପାଇବା ପାଇଁ ଜଣେ ନାଗରିକ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ସଂଖ୍ୟା (ଆକନଲେଜମେଣ୍ଟ ନମ୍ବର) ମିଳିବ । ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଫିସର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ ନ କରି ସେବା ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବେ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍‌’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ। ଏହାସହିତ ସମ୍ପୃକ୍ତ ଦାୟିତ୍ୱପ୍ରାପ୍ତ ଅଫିସରଙ୍କ ପୋର୍ଟାଲ୍ ଆକ୍ସେସ୍ ମଧ୍ୟ ବନ୍ଦ ହୋଇଯିବ, ଯାହାଦ୍ୱାରା ଅପିଲ୍ ବିଚାରାଧୀନ ଥିବା ଯାଏଁ ସେ ଏହି ଆବେଦନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ସେହିପରି ଯଦି ଆପିଲେଟ୍ କର୍ତ୍ତୃପକ୍ଷ ୩୦ ଦିନ ମଧ୍ୟରେ ଉକ୍ତ ‘ଅଟୋ-ଅପିଲ’ର ସମାଧାନ ନକରନ୍ତି, ତା’ହେଲେ ମାମଲାଟି ସ୍ୱୟଂଚାଳିତ ଭାବେ ‘ଅଟୋ-ରିଭିଜନ୍‌’ ମାଧ୍ୟମରେ ରିଭିଜନାଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଳାଇଯିବ। ଏହି ସମସ୍ତ ପ୍ରକ୍ରିୟାର ପ୍ରତିଟି ପଦକ୍ଷେପ ସମ୍ପର୍କରେ ଆବେଦନକାରୀ ତଥା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏସଏମଏସ, ହ୍ୱାଟ୍ସଆପ୍ (ଆମ ସାଥୀ ବଟ୍ ମାଧ୍ୟମରେ) ଓ ଇମେଲ୍ ଜରିଆରେ ତୁରନ୍ତ ସୂଚନା ମିଳିବ। ଶୁଣାଣି ପାଇଁ ଅତିକମରେ ୭ ଦିନ ପୂର୍ବରୁ ଡିଜିଟାଲ୍ ନୋଟିସ୍ ଜାରି ହେବା ସହ ସମସ୍ତ ଶୁଣାଣି ପ୍ରକ୍ରିୟା ଓ ରାୟ ଅନଲାଇନ୍ ରେକର୍ଡ ମଧ୍ୟ କରିହେବ।ଏହି ନୂଆ ଏସଓପିରେ ଜନସେବା ପ୍ରଦାନରେ ବିଳମ୍ବ ଓ କାର୍ଯ୍ୟରେ ଅବହେଳା ପାଇଁ କଠୋର ଆର୍ଥିକ ଜୋରିମାନାର ବ୍ୟବସ୍ଥା ରହିଛି। କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯାଇପାରିବ। ଏହି ଜୋରିମାନା ଅର୍ଥକୁ ସମ୍ପୃକ୍ତ ଅଫିସରଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି।

LEAVE A REPLY

Please enter your comment!
Please enter your name here