ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ହଜିଯିବା ପରେ ଏନେଇ କ୍ୟାପିଟାଲ ଥାନାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଗୃହ ବିଭାଗ ଦେଇଥିବା ଏତଲାରେ ୨୦୨୪ ଜୁନ୍ ୪ତାରିଖରେ ସିଏମଓରୁ ସବୁ ଫାଇଲ ଆସିଥିଲା, କେବଳ ଏହି ଦୁଇଟି ତଦନ୍ତ କମିଶନ ରିପୋର୍ଟ ଆସିନଥିଲା ବୋଲି ଉଲ୍ଲେଖ କରାଯିବା ପରେ ଉକ୍ତ ରାତିରେ କିଏ ତୃତୀୟ ମହଲା ବା ସିଏମଓ ଯାଇଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, କ୍ୟାପିଟାଲ ଥାନା ପୁଲିସ ବୁଧବାର ଦିନ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଲିଖିତ ଏତଲାକୁ ଭିତ୍ତି କରି ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୩୦୫, ୩୧୬(୨),୨୩୮(ଗ), ୨୪୧, ୬୧(୨)ଖ ଭଳି ଦଫାରେ ମାମଲା ରୁଜୁ କରି ତଦନ୍ତ ଦାୟିତ୍ୱ ଇନ୍ସପେକ୍ଟର ବିପିନ ବିହାରୀ ହୋତାଙ୍କୁ ନ୍ୟସ୍ତ କରିଛି । କନ୍ଧମାଳ ଜିଲ୍ଲାର ଜାଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଘଟଣାର ଜଷ୍ଟିସ ଏ.ଏସ. ନାଇଡୁ କମିଶନ ରିପୋର୍ଟ ଓ ଭୁବନେଶ୍ୱର ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।ଗୃହ ବିଭାଗର ଯୁଗ୍ମ ସଚିବ ଶ୍ରୀ ମାରାଣ୍ଡି ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସମ୍ପୃକ୍ତ ତଦନ୍ତ କମିଶନଙ୍କ ଦ୍ୱାରା ଦାଖଲ ହେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ସମୀକ୍ଷା ପାଇଁ ସରକାରୀ ପ୍ରକ୍ରିୟା ଅନୁଯାୟୀ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) କୁ ପଠାଯାଇଥିଲା। ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ନାଇଡୁ କମିଶନ ରିପୋର୍ଟକୁ ପ୍ରଥମେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା ଓ ସେଠାରୁ ୩ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୧୯ତାରିଖରେ ଏହା ସିଏମଓକୁ ପଠାଯାଇଥିଲା। ସେହିପରି ୨୦୧୮ ମଇ ୨୩ ତାରିଖରେ ସମ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ରିପୋର୍ଟକୁ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ପଠାଯିବା ପରେ ତା’ପରଦିନ ମଇ ୨୪ ତାରିଖରେ ଏହା ସିଏମଓକୁ ହସ୍ତାନ୍ତର ହୋଇଥିଲା । ରାଜ୍ୟର ଏହି ଦୁଇଟି ବଡ଼ ଓ ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ଓ ପ୍ରମାଣକୁ ସରକାରୀସ୍ତରରେ ସଂରକ୍ଷିତ ରଖିଥିବା ଏହି ଫାଇଲ ଗୁଡ଼ିକର ସ୍ଥିତି ବାବଦରେ ଗୃହ ବିଭାଗ ପକ୍ଷରୁ ନିକଟରେ ଅନୁସନ୍ଧାନ କରାଗଲାପରେ ତାହା ସିଏମଓରେ ଉପଲବ୍ଧ ନଥିବା ଜଣାପଡ଼ିଥିଲା । ବହୁ ଖୋଜାଖୋଜି ପରେ ଏହା ନମିଳିବାରୁ ସିଏମଓରୁ ଏହାକୁ ଗାଏବ କରାଯାଇଥିବା ଗୃହ ବିଭାଗ ଆଶଙ୍କା କରି ଥାନାରେ ଏତଲା ଦେଇଛି ।ରାଜ୍ୟ ପ୍ରଶାସନର ସର୍ବାଧିକ ସୁରକ୍ଷିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରୁ କିଭଳି ଦୁଇ ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ପ୍ରଶାସନିକ ମହଲରେ ଚାଂଚଲ୍ୟ ସୃଷ୍ଟି କରିଛି।












