ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ବ୍ଲକ ଶନିବାର ଦିନ ଚ୍ଛାୟା ସଂସଦ ମାଧ୍ୟମରେ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛି।କଂଗ୍ରେସ ସମେତ ଇଣ୍ଡିଆ ବ୍ଲକ ପକ୍ଷରୁ ଏହି ଚ୍ଛାୟା ସଂସଦରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜଶିଟ। ଜ୍ଞାନେଶ କୁମାରଙ୍କୁ ସିଇସି ମଧ୍ୟରୁ ହଟାଇ ତାଙ୍କ ବିରୋଧରେ ଭୋଟ ଚୋରି ପାଇଁ ଦେଶଦ୍ରୋହ ମାମଲା ଚାଲୁ କରିବାକୁ ମହାଭିଯୋଗ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। କଂଗ୍ରେସର ରାଜ୍ୟସଭା ସାଂସଦ ତଥା ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ୧୦ ରାଜାଜୀ ମାର୍ଗ ବାସଭବନରେ ଏହି ଚ୍ଛାୟା ସଂସଦ ଶନିବାର ଅପରାହ୍ନ ୩.୩୦ରେ ଆରମ୍ଭ ହୋଇଥିଲା। ଏହାର ଅଧ୍ୟକ୍ଷତା କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରୀ। ଭୋଟ ଚୋରି ଅଭିଯୋଗ କରି ଇଣ୍ଡିଆ ବ୍ଲକ ଚ୍ଛାୟା ସଂସଦରେ ସିଇସି ଜ୍ଞାନେଶ କୁମାର ଓ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛି। ଚ୍ଛାୟା ସଂସଦରେ ଖଡଗେ ‘ଜନ ମହାଭିଯୋଗ’ ପ୍ରସ୍ତାବ ଆଗତ କରିଛନ୍ତି। ସେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଥିବା ଅଭିଯୋଗକୁ ମଧ୍ୟ ଉପସ୍ଥାପନ କରିଛନ୍ତି।ତାଙ୍କ କହିବା କଥା ଯେ ଭୋଟର ତାଲିକାର କେନ୍ଦ୍ରୀୟ ନିୟନ୍ତ୍ରଣର ଦୋଷୀ ହେଉଛନ୍ତି ଜ୍ଞାନେଶ କୁମାର। ଇଣ୍ଡିଆ ବ୍ଲକ ସର୍ବସମ୍ମତିକ୍ରମେ ତାଙ୍କ ଇସ୍ତଫା ଦାବି କରୁଛି। ସେ ଭୋଟି ଚୋରିରେ ସହାୟତା କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉଛି।ଭୋଟର ତାଲିକାର ସ୍ୱତନ୍ତ୍ର ସଘନକୁ ବନ୍ଦ କରାଯାଉ ଓ ୨୦୨୩ରେ ସିଇସି ନିଯୁକ୍ତି ଓ ସୁରକ୍ଷା ପାଇଁ ଏକତରଫା ଭାବେ ପାରିତ ଆଇନକୁ ରଦ୍ଦ କରାଯାଉ। ସିଇସି ଜ୍ଞାନେଶ କୁମାରଙ୍କ ଭଳି ଲୋକ ଯଦି ସାମ୍ବିଧାନିକ ପଦରେ ରହିବେ, ତା’ହେଲେ ଗଣତନ୍ତ୍ର ପାଇଁ ବିପଦ ବୋଲି ‘ଜନ ମହାଭିଯୋଗ’ ପ୍ରସ୍ତାବରେ ଉଲ୍ଲେଖ କରିଛି। ଏହି ପ୍ରସ୍ତାବକୁ ଆଗତ କରି ଖଡଗେ କହିଛନ୍ତି ଯେ “୨୦୨୩ ଡିସେମ୍ବରରେ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଜୀବନବ୍ୟାପୀ ଆଇନଗତ ସୁରକ୍ଷା ଦେଇଛି। ବାସ୍ତବରେ ଏହା ଦେଶ ଓ ସମ୍ବିଧାନ ବିରୋଧରେ ସେ କରିଥିବା ଅପରାଧିକ କାର୍ଯ୍ୟକଳାପରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ହୋଇଛି। ତେଣୁ ସିଇସି ଜ୍ଞାନେଶ କୁମାରଙ୍କୁ ତତ୍କାଳ ଭାବେ ବରଖାସ୍ତ କରାଯାଉ।ଇଣ୍ଡିଆ ବ୍ଲକର ସାଂସଦମାନେ ଦେଶର ୬୦% ଲୋକଙ୍କୁ ପ୍ରତିନିଧିତ୍ୱ କରନ୍ତି। ଏହାବାଦ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତେ ମିଳିତ ଭାବେ ସଂକଳ୍ପ ନେଇଛନ୍ତି ଯେ ଭାରତର ଲୋକଙ୍କ ସହ ଏପରି ଘୋର ବିଶ୍ୱାସଘାତକତା ପାଇଁ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବା ଦରକାର।” ବିଜେପିକୁ ବିରୋଧ କରୁଥିବା ଭୋଟରଙ୍କ ନାଁକୁ ଡିଲିଟ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆରର ବ୍ୟବହାର କରିଥିବା ଖଡଗେ ଅଭିଯୋଗ କରିଛନ୍ତି।












