ମୁମ୍ବାଇ: ମୁମ୍ବାଇଠାରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ କରିଛନ୍ତି ।ଉଦଘାଟନୀ ସେସନ୍ ପରେ ଗୋଲଟେବୁଲ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଏକ ଖଣିଜ-ଭିତ୍ତିକ ଅର୍ଥନୀତିରୁ ରସାୟନ-ଭିତ୍ତିକ ଶିଳ୍ପ ଅର୍ଥନୀତିରେ ରୂପାନ୍ତରିତ କରିବାର ସଂକଳ୍ପ ପ୍ରକାଶ କରିଛନ୍ତି । ରାଜ୍ୟର ବିଶାଳ ସମୁଦ୍ର ଉପକୂଳ, ଉତ୍କୃଷ୍ଟ ବନ୍ଦର ସଂଯୋଗୀକରଣ, ବିଶାଳ ରିଫାଇନାରୀ ଭିତ୍ତିଭୂମି, କଞ୍ଚାମାଲର ସୁଲଭତା, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳ ଯୋଗାଣ ଏବଂ ପଡ଼ୋଶୀ ମାର୍କେଟ୍ ସହ ସଂଯୋଗୀକରଣ ନିବେଶକମାନଙ୍କ ପାଇଁ ଶ୍ରେଷ୍ଠ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ସେ ଆଲୋକପାତ କରିଛନ୍ତି।ନିବେଶକଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଶିଳ୍ପ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରୁନାହାନ୍ତି, ବରଂ ନିବେଶର ସମ୍ପୂର୍ଣ୍ଣ କାଳଖଣ୍ଡରେ ନିବେଶକମାନଙ୍କ ପ୍ରକୃତ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଜମି ଚିହ୍ନଟ, ଭିତ୍ତିଭୂମି ଯୋଜନା, ଆବଶ୍ୟକୀୟ ସରକାରୀ ମଞ୍ଜୁରୀଠାରୁ ଆରମ୍ଭ କରି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ବାଣିଜ୍ୟିକ ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ରାଜ୍ୟ ସରକାର ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବେ।










