ଭୁବନେଶ୍ବର : ନାଁ ନିରଞ୍ଜନ ବେହେରା । ବାପାଙ୍କ ନାଁ ନରେଶ ବେହେରା । ଗାଁ ସିମଲି, ପୋଷ୍ଟ – ମାଟିଆପଡା, କୋଣାର୍କ । ଜିଲ୍ଲା – ପୁରୀ । ଏହି ବାବୁ ଜଣକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ସୋଲାର ପ୍ୟାନେଲ ଲଗାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି । କ୍ଲାନ କଂପାନୀର ସେଲ୍ସ ହେଡ୍ ଭାବେ କାମ କରୁଥିବା ବେଳେ କିଛି ଲୋକଙ୍କ ଘରେ କଂପାନୀ ଜରିଆରେ ବାବୁ ସୋଲାର୍ ପ୍ୟାନେଲ ଲଗାଇବା କାମ କରିଥିଲେ । ବେକରେ କଂପାନୀ ଆଇ କାର୍ଡ ପକାଇ ଓ କାନ୍ଧରେ କ୍ଲାନ କଂପାନୀର ଲାପଟପ୍ ବ୍ୟାଗ୍ ଧରି ଲୋକଙ୍କ ସହ ବିଶ୍ବାସ ସ୍ଥାପନ କରିବା ପରେ ସେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇଥିଲେ । କିନ୍ତୁ ସୋଲାର୍ ପ୍ୟାନେଲ୍ ଲଗାଇବା ନାଁ ଧରିଲେନି । ଯେଉଁମାନେ ଟଙ୍କା ଦେଇ ସୋଲାର ସଂଯୋଗ ପାଇଲେନି, ସେମାନେ କ୍ଲାନ କଂପାନୀ ସହ ଯୋଗାଯୋଗ କରିବା ପରେ ଠକାମୀର ଶୀକାର ହୋଇଥିବା ଜଣା ପଡିଥିଲା । କଟକ, ଭୁବନେଶ୍ବର, ଚୌଦ୍ବାର, ଜଗତସିଂହପୁର ଏହିଭଳି ବିଭିନ୍ନ ଅଞ୍ଚଳରୁ ସେ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । କ୍ଲାନ କଂପାନୀ ପକ୍ଷରୁ ଇନଫୋସିଟୀ ଥାନା ଓ ସାଇବର୍ ଥାନାରେ ଏତଲା ଦିଆଯାଇଛି । ସେହିପରି ଠକାମୀର ଶୀକାର ହୋଇଥିବା ଲୋକମାନେ ବିଭିନ୍ନ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବରକୁ ସୁଇଚ୍ ଅଫ୍ କରି ନିରଞ୍ଜନ ଫେରାର ହୋଇଯାଇଥିବା ବେଳେ କଟକରେ ଭଡାଘରେ ରହୁଥିବା ତାଙ୍କ ପରିବାର ମଧ୍ୟ ଘର ଛାଡି ଲୁଚିଛନ୍ତି । ପୋଲିସ ପକ୍ଷରୁ ନିରଞ୍ଜନ ବେହେରା ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି ।














