ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପାନ ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗ୍ୟାରେଜ୍‌ ଛକ ଗାୟତ୍ରୀ ବସ୍ତି ନିକଟରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ନାମ ଜିତୁ କାଣ୍ଡି ଏବଂ ତାଙ୍କ ଘର ଶିଶୁପାଳ ଗଡ଼ ଅଞ୍ଚଳରେ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜିତୁ କିଛି ସ୍ଥାନୀୟ ଯୁବକଙ୍କ ସହ ମିଶି ମଦ୍ୟପାନ କରୁଥିଲେ। କୌଣସି ଏକ ଅଜ୍ଞାତ କାରଣକୁ ନେଇ ସେମାନଙ୍କ ମଧ୍ୟରେ ଉଗ୍ର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଝଗଡ଼ା ହିଂସ୍ର ରୂପ ନେବା ପରେ ଅଭିଯୁକ୍ତମାନେ ନିର୍ମମ ଭାବେ ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଛେଚି ଦେଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଲିଙ୍ଗରାଜ ପୋଲିସ ଏବଂ ଏକ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଅପରାଧ ସ୍ଥଳରୁ ରକ୍ତ ନମୁନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଛି। ଏହି ଘଟଣାରେ ପୋଲିସ ସନ୍ଦେହରେ ୩ ଜଣ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ଘଟିଛି ନା ମଦ୍ୟପାନ ଆସରରେ ହୋଇଛି ତାହାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି |

LEAVE A REPLY

Please enter your comment!
Please enter your name here