କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମିଲନ ପ୍ରଧାନଙ୍କୁ ଶୁକ୍ରବାର ଗିରଫ କରିଛି ପୁଲିସ। ୨୦୦୭ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ବେଳେ ସଂଘଟିତ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ନନ୍ଦିଗ୍ରାମ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୂର୍ବତନ ମମତା ବାନାର୍ଜୀଙ୍କ ଦଳ ସମର୍ଥନ କରିବାକୁ ଘୋଷଣା କରିବାର କିଛି ଘଣ୍ଟା ପରେ ଘଟିଛି ଏହି ଘଟଣା। ମମତାଙ୍କ ଦଳ ସଞ୍ଚିତା ପ୍ରଧାନ ଦେ’ଙ୍କୁ ନନ୍ଦିଗ୍ରାମ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ଓହରି ଯିବା ପରେ ମମତାଙ୍କ ଦଳ ଆଉ କାହାକୁ ପ୍ରାର୍ଥୀ ନ କରି ବିଜେପି ବିପକ୍ଷରେ ଲଢ଼େଇ କରୁଥିବା ଇଣ୍ଡି ମେଣ୍ଟକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା। ତାଙ୍କ ଦଳ ମିଲନ ପ୍ରଧାନଙ୍କୁ ସମର୍ଥନ କରିବ ବୋଲି ମମତା ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।











