ନୂଆଦିଲ୍ଲୀ: ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୯୦୦ ଟପିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୯୦୩କୁ ବୃଦ୍ଧି ପାଇଥିବା ନେପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତିବ୍ବତ ସୀମା ନିକଟରେ ହିମସ୍ଖଳନ (ବରଫ-ପଥର ଧସିବା) ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀ ଏବଂ ୧୪ଟି ସାମରିକ ହେଲିକପ୍ଟର ନିୟୋଜିତ ଅଛନ୍ତି। ନେପାଳ ସରକାରଙ୍କ ସୂଚନାନୁସାରେ, ସୋମବାର ସକାଳ ୭ଟା ସୁଦ୍ଧା ପ୍ରାୟ ୨,୫୦୦ରୁ ୩,୦୦୦ ଲୋକ ନିଖୋଜ ବା ଅଯୋଗାଯୋଗ ଅବସ୍ଥାରେ ଅଛନ୍ତି। ସୁରକ୍ଷା ବାହିନୀ ଦ୍ୱାରା ଏପର୍ଯ୍ୟନ୍ତ ୮,୭୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଛି। ଏହି ବିପର୍ଯ୍ୟୟରେ ଅନେକ ଭାରତୀୟ ନାଗରିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪୯ରୁ ୧୮୦ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨୭୫ରୁ ୩୨୦ ଜଣ ନିଖୋଜ ବା ସମ୍ପର୍କହୀନ ରହିଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।










