ଭୁବନେଶ୍ୱର: ପ୍ରତିଷ୍ଠିତ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଟ କବି ଡକ୍ଟର ଆଶୁତୋଷ ପରିଡ଼ା। ରବିବାର ଅନୁଷ୍ଠିତ ୪୭ତମ ଶାରଳା ପୁରସ୍କାର ପ୍ରଦାନ ସମାରୋହରେ ତାଙ୍କୁ ଏପରି ସମ୍ମାନରେ ସମ୍ମାନିତ କରାଯାଇଛି।ଡକ୍ଟର ପରିଡ଼ାଙ୍କୁ ତାଙ୍କ କବିତା ସଂକଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି। ପୁରସ୍କାର ଆକାରରେ ସେ ୭ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ତାମ୍ରଫଳକ ଓ ପ୍ରଶସ୍ତିପତ୍ର ପାଇଛନ୍ତି। ସେହିପରି ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦାମୋଦର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (IMFA)ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ (IMPaCT) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଏ ଶାରଳା ପୁରସ୍କାର। ଇମ୍ପାକ୍ଟ ପକ୍ଷରୁ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ୨୦୨୬ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି।ତାଙ୍କର ଚର୍ଚ୍ଚିତ କବିତା ସଂକଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଏହି ସମ୍ମାନ ମିଳିଛି। ୨୦୨୪ ମସିହାରେ ପ୍ରଭା ପବ୍ଲିକେଶନ୍ସ ପକ୍ଷରୁ ପ୍ରକାଶିତ ଏହି କବିତା ସଂକଳନ ଚଳିତ ବର୍ଷ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ତାମିଲ୍ କବି ତଥା ଗୀତିକାର ଆର୍. ବୈରାମୁଥୁ। ସେ ଡକ୍ଟର ପରିଡ଼ାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here